ଓଡ଼ିଶାବାସୀଙ୍କ ଭିତରେ ଆକ୍ରୋଶ ବିରାଟ ଜନଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ଓଡିଶାରେ ୯ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ, ତାହାକୁ ମୋଦି ସରକାର ଅନୁମୋଦନ ଦେଇସାରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏବେ ରାଉରକେଲାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବ ଦିଅନ୍ତୁ । ଏୟାର ପୋର୍ଟକୁ “ଉଡାନ” କର୍ତୃପକ୍ଷଙ୍କୁ ହସ୍ତାନ୍ତର କରନ୍ତୁ । ତାଳଚେର ବିମଳାଗଡ ରେଳଲାଇନ କାହା ଚାପରେ ଏଯାଏଁ ହୋଇନାହିଁ ତାହାର ତୁରନ୍ତ ସୁବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ତାଳଚେର ବିମଳାଗଡ ପାଇଁ ଜମି ଅଧିଗ୍ରହଣ କରନ୍ତୁ । ବ୍ରାହ୍ମଣୀ ବ୍ରିଜ ମୋଦିଜୀ କରିଥିବାରୁ ଲୋକେ ଉପକୃତ ହେଉଛନ୍ତି । ରାଉରକେଲା ଅଂଚଳର ବିକାଶ ପାଇଁ ମୋଦିଜୀ “ବନ୍ଦେ ଭାରତ ଟ୍ରେନ” ଚଳାଚଳ ଆରମ୍ଭ କରିଛନ୍ତି । ସ୍ମାର୍ଟସିଟି ରାଉରକେଲାକୁ ମୋଦିଜୀ କୋଟି କୋଟି ଟଙ୍କା ଦେଇଛନ୍ତି । ରାଉରକେଲାର ସାମଗ୍ରୀକ ବିକାଶ ପାଇଁ ମୋଦିଜୀ କାମ କରୁଥିବାରୁ ସ୍ଥାନୀୟ ଲୋକେ ମୋଦିଜୀଙ୍କୁ ବହୁମାତ୍ରାରେ ଭଲ ପାଉଥିବା ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାର ୨୩ବର୍ଷର ଶାସନରେ ଓଡିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି । ଆଜି ପଂଚାୟତ, ବ୍ଲକ, ଜିଲ୍ଲାସ୍ତରୀୟ ଅଫିସରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ରାଜ୍ୟ ସରକାରଙ୍କ ଗୁମାସ୍ତାମାନେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବଡ ବଡ ଅଟାଳିକା ନିର୍ମାଣ ହେଉଛି ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ । ସେହିପରି “ମୋ ଗାଁ ମୋ ବିକାଶ”ରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ବିଭାଗୀୟ ଅଧିକାରୀମାନେ ଜେଲ୍ ଯାଇଛନ୍ତି ।
ମୋଦି ସରକାର ଓଡ଼ିଶାର ଲୋକଙ୍କ ପାଇଁ ବିପୁଳ ଅର୍ଥ ପଠାଉଛନ୍ତି । କଂଗ୍ରେସ ସରକାରରେ ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୩ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାରରେ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି କିନ୍ତୁ ବିଜେଡି ସରକାରର ଦୁର୍ନୀତି ଯୋଗୁଁ ଓଡ଼ିଶାବାସୀଙ୍କୁ ଏହାର ସୁଫଳ ମିଳିପାରିନାହିଁ । ପିଏମ୍ ଆବାସ ଯୋଜନାରେ ମୋଦି ସରକାର ୩୨ଲକ୍ଷ ଆବାସ ଦେବା ପରେ ବି ରାଜ୍ୟରେ ଅନେକ ଲୋକଙ୍କୁ ଏଯାଏଁ ପକ୍କା ଛାତ ମିଳିପାରିନାହିଁ । ୨୦ହଜାର ଟଙ୍କା ଲାଂଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଂଚ ନଦେଲେ ଭତା ମିଳୁନି, ୫ହଜାର ଟଙ୍କା ନଦେଲେ ରାସନ କାର୍ଡ ମିଳୁନି । ସେହିପରି ପାଇଖାନା ନିର୍ମାଣ ପାଇଁ ୨ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ନିଜର ଅଧିକାର ପାଇଁ ଲୋକଙ୍କୁ ଲାଂଚ ଦେବାକୁ ପଡୁଛି । ନବୀନ ସରକାର ନିଜ ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ପକେଟ ଗରମ କରୁଥିବା ସରକାର ବୋଲି ଶ୍ରୀ ସାମଲ କହିଛନ୍ତି ।
ସେହିପରି ୧୫ଅଗଷ୍ଟ ୨୦୧୯ରେ ୭୫ବର୍ଷ ଅମୃତ ମହୋତ୍ସବ ଅବକାଶରେ ଯଶ୍ୱସୀ ମୋଦିଜୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ଏ ବାବଦରେ ୧୫ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ମିଳିସାରିଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେଡି ସରକାର ଏହି ଅର୍ଥକୁ ଲୁଟ୍ କରିଛନ୍ତି । ଓଡ଼ିଶାର ଲୋକଙ୍କ ପାଖରେ ପିଇବା ପାଣି ଟୋପେ ପହଂଚୁନାହିଁ । ଏହାର ଏକ ଉଦାହରଣ କେନ୍ଦୁଝରରେ ୧୧ଜଣ ଜୁଆଙ୍ଗ ଜନଜାତିର ଲୋକ ବିଷାକ୍ତ ପାଣି ପିଇ ମୃତ୍ୟୁବରଣ କରିଥିଲେ । ଏସମସ୍ତ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଦୁଇ ମାସ ତଳେ ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ବିଜେପିକୁ ଅଭୂତପୂର୍ବ ଜନସମର୍ଥନ ମିଳିଥିଲା । ଯାହା ପ୍ରମାଣିତ କରୁଛି ସାଧାରଣ ଲୋକଙ୍କ ମନରେ ନବୀନ ସରକାର ବିରୋଧରେ ଏକ ଜନଆକ୍ରୋଶ ରହିଛି । ଏହି ଜନଆକ୍ରୋଶକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟି ଲଢ଼େଇ ଜାରି ରଖିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରିବ । ରାଜ୍ୟର ଜନସାଧାରଣ ଏହି ଦୁର୍ନୀତି ବିରୁଦ୍ଧ ଲଢ଼େଇରେ ସାମିଲ ହେବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କ ଭିତରେ ଯେଉଁ ଆକ୍ରୋଶ ଅଛି ତାହା ଏକ ବିରାଟ ଜନଆନ୍ଦୋଳନର ରୂପ ନେବ । ଆଗାମୀ ୨୦୨୪ ନିର୍ବାଚନରେ ଏ ସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରର ଅନ୍ତ ଘଟିବ । ଭାରତୀୟ ଜନତା ପାର୍ଟି ଓ ଓଡ଼ିଶାର ଜନତା ଏହାର ମାଧ୍ୟମ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି । ଭାରତୀୟ ଜନତା ପାର୍ଟି ଧୈର୍ଯ୍ୟ ଓ ସାଧୁତାର ସହ ଗରିବ କଲ୍ୟାଣ ବା ଗରିବଙ୍କ ପାଇଁ କାର୍ଯ୍ୟ କରିଛି । ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି । ୫ବର୍ଷରେ ଦେଶରେ ଦାରିଦ୍ୟ କବଳରୁ ୧୩.୫୦କୋଟି ଲୋକ ବାହାରକୁ ଆସିଛନ୍ତି । ପୁଣି ମୋଦିଜୀ ଗରିବ ଲୋକଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ” ଯୋଜନାର ଅବଧିକୁ ଆଉ ୫ବର୍ଷ ବଢ଼ାଇ ଦେଇଛନ୍ତି । ମୋଦିଜୀଙ୍କ ଗରିବଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏହି ଅବସରରେ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରୟ, ବଟ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।