ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ହଜାର ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସ ମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ଓଡିଶା ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି । ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁ ଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂ ଅଭାବ ବିକ୍ରିର ସମ୍ମୁଖୀନ ହେଉଛି । ମଣ୍ଡିର ଅଭାବ ଯୋଗୁ ଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି । ମୋଦି ସରକାର ଧାନର ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ଥିବାବେଳେ ଚାଷୀମାନେ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ୧ ହଜାରରୁ ୧୨୦୦ ଟଙ୍କାରେ ନିଜ କଷ୍ଟ ଉର୍ପାଜିତ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମିଲର ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ପ୍ରସଙ୍ଗରେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପିର ସାଂସଦମାନେ ଆଲୋଚନା କରିଥିଲେ । ଏହା ପରେ ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା । କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି, ଏହାକୁ ସମୀକ୍ଷା ଏବଂ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ମିଲରର ଟ୍ୟାଗ ଥିବା ସତ୍ୱେ ଧାନ ମଣ୍ଡିରୁ ନଉଠାଇବା କାରଣରୁ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି, ଏଭଳି ମିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ା ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଇଛି । ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି । ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ସ୍ୱଚ୍ଛତା ଓ ଉତରଦାୟୀତ୍ୱ ନଥିବାକରଣରୁ ଚାଷୀମାନେ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି । ଧାନର ପରିବହନ ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି ଯାହା ନିୟମ ବିରୋଧୀ । ଧାନର ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଛା ଅନୁଯାୟୀ ପରିଚାଳିତ ହେଉଛି । ଧାନ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡିରେ କାମ କରୁଥିବା ଶ୍ରମିକଙ୍କୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଓସଓଆର ୦୬-୦୫-୨୦୧୯ ନିୟମର ଉଲ୍ଲଘଂନ କରୁଛି । ମିଲରମାନଙ୍କ ଦ୍ୱାରାଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଏଥିରୁ ଜଣାପଡୁଛି କି, ମିଲର ଓ ସରକାରଙ୍କ ମଧ୍ୟମରେ ଅସାଧୁ ମେଂଟ ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ରାଜ୍ୟ ସରକାର ଟୋକନ୍ ଲ୍ୟାପସ୍ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ସହ ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୮/୧୦ କେଜି ଧାନ କଟନୀ ଛଟନୀ କରାଯାଉଥିବାରୁ ମିଲର୍ସ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଏହା ସହ ରାଜ୍ୟ ସରକାର ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରିବାକୁ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଜୁନ୍ ୩୦ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଏହା ପରେ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଧାରଣାରୁ ଉଠିଛନ୍ତି ।ଏହି ଅବସରରେ ବିଧାୟକ ନାଉରୀ ନାଏକ, ସୁବାସ ପାଣିଗ୍ରାହୀ, ଡ. ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ପ୍ରମୁଖ ଧାଣ କିଣା ଅବ୍ୟବସ୍ଥା ଓ ଚାଷୀ ମାରଣନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ । ଏହି ବିକ୍ଷୋଭ ସମୟରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଯ୍ୟଧନ ସାହୁ, ରାଧାକାନ୍ତ ମହନ୍ତ ଓ ଶ୍ରୀରଂଜନ ମଙ୍ଗରାଜ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଓ କାମାକ୍ଷା ପ୍ରସାଦ ପ୍ରଧାନ, ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।