ବଳକା ଉଷୁନା ଚାଉଳ କିଣା ପ୍ରସଙ୍ଗକୁ ନେଇ ଏଫସିଆଇ କାର୍ଯ୍ୟାଳୟକୁ ଘେରିଲା ବିଜେଡି । ଭୁବନେଶ୍ୱରସ୍ଥିତ ଏଫସିଆଇ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛି ବିଜେଡି ।କେନ୍ଦ୍ର ସରକାର କାହିଁକି ବଳକା ଚାଉଳ ନେଉନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା | ଦଳ ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ । କେନ୍ଦ୍ର ସରକାର ଓଡିଶା ସହ ଅନ୍ୟାୟ କରୁଛନ୍ତି । ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡୁଛି ବୋଲି କହିଛି ବିଜେଡି । । ୨୦୨୦-୨୧ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ସେ ଭିତରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ୍ ଟନ୍ ନିଜ ବ୍ୟବହାର ପାଇଁ ରଖିଛନ୍ତି । ତେବେ ବଳକା ୨୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ନେବା କଥା, କିନ୍ତୁ ବାରମ୍ବାର ଦାବି ସତ୍ୱେ ଚାଉଳ ଉଠାଯାଉନି। କେନ୍ଦ୍ର ସରକାର ଓଡିଶା ସହ ଖେଳୁଛନ୍ତି । ବିଜେପି ସରକାର ଅଯଥା ଚାଷୀଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।