ସଂସଦରେ ପୁଣି ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟସଭାର ଶୂନ୍ୟ କାଳରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ | ରାଜ୍ୟରେ ଥିବା ବଳକା ଉଷୁନା ଚାଉଳକୁ କାହିଁକି ଏଫସିଆଇ ଉଠାଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ | ଖୁବଶୀଘ୍ର ଓଡିଶାରୁ ବଳକା ଚାଉଳ ଉଠାଇବାକୁ ସାଂସଦମାନେ ଗୃହରେ କରିଛନ୍ତି ଦାବି |
ସେମାନେ କହିଛନ୍ତି ମନ ଇଛା ଚାଉଳ ଉଠାଣ ବନ୍ଦ ହୋଇଥିବାରୁ ପ୍ରଭାବିତ ହେଉଛନ୍ତି ରାଜ୍ୟର ଚାଷୀ | ଏହାପୂର୍ବରୁ ଉଷୁନା ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦାବି ଗ୍ରହଣ କରୁନଥିବାରୁ ବିଜେଡି ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଷୁନାଚାଉଳ ଉଠାଇବାକୁ ନେଇ ଦୀର୍ଘଦିନ ହେଲା ରାଜ୍ୟ କେନ୍ଦ୍ର ବିବାଦ ଲାଗିରହିଛି । ରାଜ୍ୟ ଏ ନେଇ କେନ୍ଦ୍ରକୁ ବାରମ୍ବାର କହିଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି ବୋଲି ସାଂସଦମାନେ ଅଭିଯୋଗ ଆଣିଛନ୍ତି ।