ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଓଡ଼ିଶାରୁ ଉଷୁନା ଚାଉଳ କ୍ରୟ କରିବାକୁ ଦାବି କରିଛି ବିଜେଡି । ବିଜେଡି ସଂସଦୀୟ ଦଳ ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରସଙ୍ଗରେ ଆଜି ରାଜ୍ୟସଭାର ପ୍ରଶ୍ନକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପ୍ରଶ୍ନ କରିଛନ୍ତି ।ଏଫ୍ସିଆଇ ଓଡ଼ିଶାରୁ କାହିଁକି ଉଷୁନା ଚାଉଳ ଉଠାଉନାହିଁ ବୋଲି ସେ ପ୍ରଶ୍ନ ପଚାରିଥିଲେ। ଏଥିପାଇଁ ମନ୍ତ୍ରୀ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗୋୟଲ ।
୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ବଳକା ରହୁଛି । ତେଣୁ ଏଫ୍ସିଆଇ ଏହି ବଳକା ଉଷୁନା ଚାଉଳ କ୍ରୟ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଖାଦ୍ୟ ମନ୍ତ୍ରୀ ଚିଠି ଲେଖିଛନ୍ତି। ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ସୂଚନା ଥାଉକି ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ ।