କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ଭାବେ ନିର୍ବାଚିତ ହେଲେ ଅଶୋକ ପ୍ରତିହାରୀ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ପ୍ରାର୍ଥୀ ଭାବେ ଅଶୋକଙ୍କ ନାମରେ ଲଗାଇଥିଲେ ମୋହର | ଫଳରେ ଅଶୋକ ଏକମାତ୍ର ପ୍ରାର୍ଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଥିଲେ । ଅପରାହ୍ନ ୧ଟା ପର୍ଯ୍ୟନ୍ତ ତାଙ୍କର ଆଉ କେହି ପ୍ରତିଦ୍ବନ୍ଦ୍ବୀ ମନୋନୟନପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ଅଶୋକଙ୍କୁ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ଘୋଷଣା କରିଛନ୍ତି ।
ଅଶୋକ ହେଉଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ । ଅଶୋକ ରାଜନଗର ବ୍ଲକର ବିଜେଡି ସଭାପତି । କୋଇଲିପୁର ପଞ୍ଚାୟତରୁ ସେ ଆଗରୁ ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ । ଏଥର ସେ ରାଜନଗର ବ୍ଲକର ୩୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୟୀ ହୋଇଛନ୍ତି । ଆଜି ଅପ୍ରତିଦ୍ବନ୍ଦ୍ବୀଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ନିର୍ବାଚିତ ହେବା ପରେ ସେ ପ୍ରଥମେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାଛଡା ସେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।