ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ଅନୁଗୋଳ ଜିଲ୍ଲା ସଭାପତି ନିହାର ମହାନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପାଖକୁ ପଠାଇ ଦେଇଛନ୍ତି।
ଅଂଶୁମାନ ୨୦୧୪ ସାଧାରଣ ନିର୍ବାଚନରେ ରାଜନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ହେଲେ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ବିଜେଡିର ଧୃବ ସାହୁଙ୍କଠାରୁ ସେ ହାରି ଯାଇଥିଲେ। ନିର୍ବାଚନରେ ପରାଜୟ ପରଠାରୁ ସେ ଧୀରେ ଧୀରେ କଂଗ୍ରେସଠାରୁ ଦୂରେଇ ଯାଉଥିବା ଚର୍ଚ୍ଚା ହେଉଥିଲା। ଏଥିସହ ବିନା କଂଗ୍ରେସ ଚିହ୍ନରେ ସଭା ସମିତି ଆୟୋଜନ କରୁଥିବା ଆଲୋଚନା ହେଉଥିଲା। ଏଥିରୁ ଜଣାପଡ଼ୁଥିଲା ସେ କଂଗ୍ରେସକୁ ଛାଡ଼ି ପାରନ୍ତି। ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ କେଉଁ ଦଳରେ ସାମିଲ୍ ହେବେ, ସେନେଇ କୌଣସି ସୂଚନା ଦେଇନାହାନ୍ତି।
ନିହାର ମହାନନ୍ଦ ହେଉଛନ୍ତି ଅନୁଗୋଳ ଜିଲ୍ଲାରେ ଜଣେ ଟାଣୁଆ କଂଗ୍ରେସ ନେତା। ପୂର୍ବରୁ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ହୋଇଥିଲେ। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି।
ଦୁଇ ନେତାଙ୍କ ଇସ୍ତଫା ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେମାନେ BJD ଓ BJP ଲିଙ୍କରେ ଅଛନ୍ତି। ଆଗକୁ ଆହୁରି ନେତା ଛାଡ଼ିବେ। ସେମାନେ ଗଲେ ମଧ୍ୟ କଂଗ୍ରେସର କିଛି କ୍ଷତି ହେବନି। ସେମାନେ ଛାଡ଼ିଲେ ନୂଆ ମୁହଁକୁ ଆମେ ସୁଯୋଗ ଦେବୁ। ଆମ ପାଖକୁ ବିଜେଡି ଓ ବିଜେପିରୁ ମଧ୍ୟ ନେତା ଆସୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି।