ଭଜନ ସମ୍ରାଟ ଭିକାରୀ ବଳ । ଓଡିଶାରେ ଭଜନ କହିଲେ ପ୍ରଥମେ ତାଙ୍କରି ନାଁ ହିଁ ଓଡିଆମାନଙ୍କ ମନକୁ ଆସିଥାଏ । ଭଜନ ଓ ଭକ୍ତି ସଙ୍ଗୀତର ସମ୍ରାଟ ଥିଲେ ଭିକାରୀ ବଳ । ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଗାଢ ଭକ୍ତି ଓ ସମର୍ପଣ ଭାବ ପାଇଁ ଖୋଦ ପୁରୀ ଗଜପତି ତାଙ୍କୁ ଭଜନ ସମ୍ରାଟର ଉପାଧି ଦେଇଥିଲେ । ଏହି ଅନନ୍ୟ ଭକ୍ତ ଭିକାରୀ ବଳଙ୍କୁ ମିଳିଥିଲା ମହାପ୍ରଭୁଙ୍କ ଚାମର ସେବା ।ତେବେ ଏହି ଭଜନ ସମ୍ରାଟଙ୍କ ଜୀବନୀ ବାସ୍ତବରେ ଏକ ସଂଘର୍ଷ ଭରା କାହାଣୀ । ୧୯୨୯ ମସିହା ମେ’ ୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସୋବଳା ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କ ବାପା ମା’ଙ୍କର ଦୁଇ ତିନୋଟି ସନ୍ତାନ ଜନ୍ମ ହୋଇ ମୃତ୍ୟୁବରଣ କରିଥିଲେ । ତେଣୁ ଏଭଳି ଏକ ନାଁ ଦେଲେ ଛୁଆମାନେ ବଂଚିଯାଆନ୍ତି ବୋଲି ବିଶ୍ୱାସ ରହିଥିଲା ।ତେଣୁ ତାଙ୍କ ଏଭଳି ନାମକରଣ କରାଯାଇଥିଲା । ସେ ଗୋଗୁଆ ହାଇସ୍କୁଲରେ ନବମ ପର୍ଯ୍ୟନ୍ତ ପାଠ ପଢିଥିଲେ । ପ୍ରଥମେ ସେ ନିଜ ଗାଁରେ ଥିବା ଯାତ୍ରା ପାର୍ଟିରେ ଯୋଗ ଦେଇ ଭକ୍ତି ସଙ୍ଗୀତ ଗାଇବା ସହ ହାରମୋନିୟମ ବଜାଉଥିଲେ । ଏହାପରେ ସେ କଟକ ଆସି କଳା ବିକାଶ କେନ୍ଦ୍ରରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେଠାରେ ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ତାଙ୍କର କଣ୍ଠ ପରିମାର୍ଜିତ ହୋଇଥିଲା ।୧୯୬୩ ମସିହାରେ ସେ କଟକ ଆକାଶବାଣୀ କେନ୍ଦ୍ରର ଏ-ଗ୍ରେଡ ଆର୍ଟିଷ୍ଟ ହେଲେ ।ରେଡିଓରେ ତାଙ୍କର ପ୍ରଥମ ଗୀତ ଥିଲା ‘ପ୍ରାଣ ମିତଣୀ ବାରେ ଚାହାଁରେ’ । ଏହାପରେ ସେ ଅନେକ ଭକ୍ତି ସଙ୍ଗୀତ ଗାଇବାକୁ ଲାଗିଲେ । ଏବଂ ଓଡିଶାର ଘରେ ଘରେ ଅତି ଆଦରଣୀୟ ପାଲଟିଗଲେ ଭିକାରୀ ବଳ । କେବଳ ଭକ୍ତି ସଙ୍ଗୀତ ନୁହେଁ, ସେ ଅନେକ ଚମ୍ପୁ ଏବଂ ଛାନ୍ଦ ମଧ୍ୟ ଗାଇଛନ୍ତି ।ତାଙ୍କର ଏସବୁ କାଳଜୟୀ ଭଜନଗୁଡିକ ତାଙ୍କୁ ଆଜିବି ପ୍ରତି ଓଡିଆଙ୍କ ମନରେ ଚିରସ୍ମରଣୀୟ କରି ରଖିଛି ।ଆଜି ସେହି କାଳଜୟୀ ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜନ୍ମ ଜୟନ୍ତୀରେ ଏନଏନଏସ ଓଡିଆ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ।
https://youtu.be/sTeW185dFxM
Plugin Install : Subscribe Push Notification need OneSignal plugin to be installed.