ଏନଏନଏସ୍: ଜେଲରୁ ମୁକୁଳିଲେ ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ। ପ୍ରାୟ ୧୫ ବର୍ଷ ଜେଲ୍ ରେ ରହିବା ପରେ ଆଜି ମୁକୁଳିଛନ୍ତି ଆନନ୍ଦ ମୋହନ। ଭୋର ପ୍ରାୟ ସାଢ଼େ ୪ଟାରେ ଆନନ୍ଦ ମୋହନ ସହରସା ଜେଲରୁ ମୁକୁଳିଛନ୍ତି। ନିଜ ପୁଅର ନିର୍ବନ୍ଧ ପାଇଁ ଆନନ୍ଦ ମୋହନ ୧୫ ଦିନ ପାଇଁ ପାରୋଲରେ ଥିବା ବେଳେ ଗତକାଲି ସହରସା ଜେଲକୁ ଫେରିଥିଲେ। ଏହାପରେ ଆଜିଠୁ ତାଙ୍କୁ କଏଦୀ ଜୀବନରୁ ମୁକ୍ତି ମିଳିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦ ମୋହନଙ୍କୁ ଭୋରରୁ ଜେଲରୁ ବାହାର କରାଯାଇଛି। ତେବେ ଆନନ୍ଦ ମୋହନ ମୁକ୍ତି ହେବା ନେଇ ତାଙ୍କ ପ୍ରଶଂସକ ବେଶ୍ ଖୁସି ଥିବା ସହ ତାଙ୍କୁ ସ୍ୱାଗତ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୪ ମସିହାରେ ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜି କୃଷ୍ଣୈୟାଙ୍କୁ ହତ୍ୟା କରିବା ଅଭିଯୋଗରେ ଆନନ୍ଦ ମୋହନ ଗିରଫ ହୋଇ ଜେଲରେ ଥିଲେ। ୨୦୦୭ ମସିହାରେ ବିହାରର ଏକ ତଳ କୋର୍ଟ ଆନନ୍ଦ ମୋହନ ସିଂହଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ୨୦୦୮ରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। ପରେ ହାଇକୋର୍ଟଙ୍କ ରାୟକୁ ୨୦୧୨ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଫଳରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆନନ୍ଦ ମୋହନ ଜେଲରେ ରହିଥିଲେ।