୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ । ଏଭିତରେ ୭ ଦଶନ୍ଧି ବିତିଗଲାଣି । ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସିଟିରେ ପରିଣତ ହେଲାଣି | ଏହି ଲମ୍ବା ଯାତ୍ରା ଭିତରେ ରାଜଧାନୀରେ ଅନେକ ପରିବର୍ତ୍ତନ ହୋଇଛି । ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରର ହୋଇଛି ନୂଆକଳେବର | ଦେଶର ନମ୍ବର ଓ୍ୱାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି ଆମ ରାଜଧାନୀ ।
ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ରାଜଧାନୀର କଳେବର ବଢ଼ିଛି । ଲୋକସଂଖ୍ୟା ବଢ଼ିବା ସହ ବିକାଶ ଆଗେଇଛି । ଅନେକ ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ସ୍ପୋଟର୍ସର ହବ୍ ଭାବେ ମଧ୍ୟ ଆମ ରାଜଧାନୀ ବେଶ ପରିଚିତ । ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ୱରର । ରୋଜଗାର ପାଇଁ ବି ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ। ତଥାପି ବିକାଶ କ୍ଷେତ୍ରରେ ଅନେକ ବାଟ ଆଗକୁ ଯିବାକୁ ଅଛି । ଆହୁରି ଅନେକ ଆହ୍ୱାନ ରହିଛି ।
ତିନି ଦିନ ଧରି ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବେ ପାଳନ କରାଯିବ । ଏଥିପାଇଁ ଲୋୟର ପିଏମଜିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍ ଅନୁଷ୍ଠିତ ହେବ ।