ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ର ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସରୁ ପୁରା ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ ସେବା ଆରମ୍ଭ ହୋଇଯିବ । ଯେଉଁଥିରେ ପୁରା ରାଜଧାନୀର ଇଣ୍ଟରନେଟ ଭିତ୍ତିଭୂମି ସୁଦୃଢ ହେବ । ଲୋକମାନଙ୍କୁ ପ୍ରତେକ ଅଞ୍ଚଳର ଅପ ଟୁ ଡେଟ ତଥ୍ୟ ଏବଂ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ । ପ୍ରାୟ ୬୧୬ କୋଟିର ଏହି ପ୍ରକଳ୍ପ ୨୦୨୦ ରେ ଶେଷ ହେବା ପାଇଁ ଧାର୍ଯ୍ୟ କରା ଯାଇଥିଲା । କିନ୍ତୁ ସାଢେ ତିନି ବର୍ଷ ପରେ ଆସନ୍ତା ଅଗଷ୍ଟ ମାସରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।
ବିଏସସିଏଲର ସୂଚନା ଅନୁଯାୟୀ, ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପ ପାଇଁ ୬୮୦ କିମିର ଅପ୍ଟିକାଲ ଫାଇବର କେବୁଲ ବିଛାଇବା ପାଇଁ ଯୋଜନା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୫୦ କିମି କେବୁଲ ବିଛା ସାରିଲାଣି। ନିକଟରେ ବିଏସସିଏଲର ସିଇଓ ସଂଜୟ ସିଂହ ପ୍ରକଳ୍ପର ସମୀକ୍ଷା କରି କେବୁଲ ବିଛାଇବା ସମସ୍ୟାକୁ ତୁରନ୍ତ ସମାଧାନ କରି ଅଗଷ୍ଟ ୧୩ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ରାଜଧାନୀର ପ୍ରତ୍ୟେକ ଲୋକ ଅଧଘଣ୍ଟା ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ ସହିତ ବିଭିନ୍ନ ସ୍ଥାନର ସିସିଟିଭିରୁ ଲାଇଭ ଚିତ୍ର ଏବଂ ଭିଡିଓ ପାଇ ପାରିବେ, ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ଲାଗିଥିବା ସ୍ପିକର ମାଧ୍ୟମରେ ସଚେତନ କରାଯାଇ ପାରିବ, ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିହେବ, ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ସଙ୍ଗେ ସଙ୍ଗେ ଚାଲାଣ କାଟିହେବ ଏବଂ ଡାଇନାମିକ ମେସେଜ ବୋର୍ଡ ମାଧ୍ୟମରେ ବିଭିନ୍ନ ସମୟରେ ସଚେତନତାର ବାର୍ତ୍ତା ଦିଆଯାଇ ପାରିବ ।
ଏତଦ ବ୍ୟତୀତ ଓଭରହେଡ କେବୁଲ ଆଉ ଦେଖିବାକୁ ମିଳିବନି । ବିଭିନ୍ନ କେବୁଲ ସଂସ୍ଥା , ଟେଲିକମ ସଂସ୍ଥା, ଷ୍ଟ୍ରିଟ ଲାଇଟ ଏବଂ ବିଦ୍ୟୁତ ଖୁଣ୍ଟରେ ଝୁଲୁଥିବା ତାରରୁ ଏବେ ମୁକ୍ତି ମିଳିପାରିବ । ଏହି ସେବାର ବ୍ୟବହାର କରିବା ପାଇଁ ୧୦୦ ମିଟର ପ୍ରତି ୨୫ ଟଙ୍କା ଦେବାକୁ ପଡିବ ଯାହାଦ୍ୱାରା ବିଏସସିଏଲ ର ରାଜସ୍ବ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ ଯେ ହନିୱେଲ ଅଟୋମେସନ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
#Bhubaneswar #SmartCity #BSCL #NNSODIA