ଆଜିଠୁ ୨ ଦିନିଆ ଭାରତ ବନ୍ଦ | କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ତେବେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ଅନେକ ସ୍ଥାନରେ ଜାତୀୟ ରାଜପଥ ଅବରୋଧ ସହ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ | ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନଥିଲେ ବିକ୍ଷୋଭକାରୀ | ଯାତ୍ରୀବାହୀ ବସ୍ ଅଟକାଇବାରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ |
ବନ୍ଦ ପାଳନ ଯୋଗୁ ହେଉଛି ଯାତାୟତ ବାଧାପ୍ରାପ୍ତ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ବିଶ୍ବବିଦ୍ୟାଳୟ ତରଫରୁ ନୋଟିସ ମାଧ୍ୟମରେ ଜଣାଯାଇଛି| ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦେଇଥିବା ସୂଚନା ମିଳିଛି।
ପାରାଦ୍ୱୀପ ରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି | ବିଭିନ୍ନ ଶିକ୍ଷ୍ୟନୁଷ୍ଠାନ ଖୋଲା ଥିବାବେଳେ ଅନ୍ୟାନ ବେସରକାରୀ ଅଫିସ ଖୋଲା ରହିଛି | ତେବେ ପାରାଦ୍ୱୀପରେ ବନ୍ଦର ପ୍ରଭାବ ସେତେଟା ନଥିଲା ଭଳି ମାନେ ହେଉଛି | ଦୋକାନ ବଜାର ବନ୍ଦ ଥିବାବେଳେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଫାଟକ ବନ୍ଦ ରଖାଯାଇଛି | ସାଧାରଣ ଜନଜୀବନ ସ୍ୱାଭାବିକ ଥିବାବେଳେ ପେଟ୍ରୋଲ ପମ୍ପ ଖୋଲାଅଛି |
ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ | କେନ୍ଦ୍ରାପଡା ସହରର ତିନିମୁହାଣୀ ଛକରେ ଆନ୍ଦୋଳନକରୀମାନେ ରାସ୍ତାବନ୍ଦ କରି ବସି ରହିଥିବାରୁ ସାରା ଜିଲ୍ଲାକୁ ଯାନବାହାନ ଚଳାଚଳ ଠପ ହୋଇଯାଇଛି । ଫଳରେ ରାସ୍ତାରେ ହଜାର ହଜାର ଗାଡିମଟର ଅଟକି ରହିଛନ୍ତି । ସ୍କୁଲକୁ ଛାତ୍ରଛାତ୍ରୀମାନଙ୍କୁ ନେବାଆଣିବା କରୁଥିବା ଗାଡିକୁ ମଧ୍ୟ ଅଟକାଇଥିଲେ ଆନ୍ଦୋଳନକାରୀ । ସୂଚନା ଥାଉ କି, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି । ଧର୍ମଘଟକୁ ବ୍ୟାଙ୍କ ୟୁନିୟନ ସମର୍ଥନ କରିଥିବା ବେଳେ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇ ଧର୍ମଘଟରେ ସାମିଲ ହୋଇଛନ୍ତି ।