ପଞ୍ଜାବରେ ଗଠନ ହେଲା ଆପ ସରକାର | ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ୍ ଆଦମୀ ଦଳର ନେତା ଭଗୱନ୍ତ ମାନ। ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲା ଠାରେ ଏକ ଭବ୍ୟ ସମାରୋହରେ ମାନ୍ ଗ୍ରହଣ କରିଛନ୍ତି ଶପଥ । ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଭଗୱନ୍ତଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ତେବେ ଆଜି କେବଳ ଭଗୱନ୍ତ ମାନ ଶପଥ ନେଇଥିଲ । ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି।
ଭଗୱନ୍ତ ମାନ କହିଛନ୍ତି, ଶପଥ ଗ୍ରହଣ ପାଇଁ ନେତାମାନେ ରାଜଭବନ ଏବଂ ଷ୍ଟାଡିଅମ ଭଳି ସ୍ଥାନ ବାଛିଥାନ୍ତି | କିନ୍ତୁ ଏହି ବିଶେଷ ଦିନରେ ଶହୀଦମାନଙ୍କୁ ମନେ ପକାଇବା ପାଇଁ ଏହି ଗାଁକୁ ମୁ ସମାରୋହ ପାଇଁ ଚୟନ କରିଛି |
୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଆପ୍ ୯୨ଟି ସିଟ୍ ହାତେଇ ଜବରଦସ୍ତ ବିଜୟ ହାସଲ କରିଥିଲା। ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଓହ୍ଲାଇ ଥିଲା।
ସୂଚନା ଥାଉକି, ଭଗୱନ୍ତ ମାନଙ୍କ କ୍ୟାରିଅର ହାସ୍ୟ ଅଭିନେତା ଭାବରେ ଆରମ୍ଭ ହୋଇଥିଲା | 2008 ମସିହାରେ ସେ କପିଲ ଶର୍ମାଙ୍କ ସହ ଟିଭି ସୋ ‘ଦି ଗ୍ରେଟ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ’ରେ ଭାଗ ନେଇଥିଲେ | ଏହି ଶୋ’ରୁ ଭଗୱନ୍ତ ବହୁତ ଲୋକପ୍ରିୟତା ହାସଲ କରିଥିଲେ | କମେଡି ସହିତ ଭଗୱନ୍ତ ଅଭିନୟ ପ୍ରତି ମଧ୍ୟ ବହୁତ ଆଗ୍ରହୀ ଥିଲେ | ପରେ ସେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିଥିଲେ | ସେ ‘କଚହାରୀ’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ 12 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ |