ଏନଏନଏସ୍: ଗିରଫ ହେଲେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍ଡବ୍ଲୁଓ) ଜୟନ୍ତୀ ବେହେରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍ଡବ୍ଲୁଓ) ଜୟନ୍ତୀ ବେହେରାଙ୍କ ଘରେ ଗତକାଲି ଚଢ଼ାଉ କରିବା ପରେ ଆଜି ଗିରଫ କରିଛି ଭିଜିଲାନ୍ସ ଟିମ୍। ଶ୍ରୀମତୀ ବେହେରାଙ୍କ ବାଲେଶ୍ବରସ୍ଥିତ ବାସଭବନ ସମେତ ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଶ୍ରୀମତୀ ବେହେରାଙ୍କର ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗିପାଟଣାଠାରେ ଥିବା ୩ ମହଲା କୋଠା, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନିଠାରେ ଥିବା ତିନିମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁରଠାରେ ନିର୍ମାଣାଧୀନ ୨ ମହଲା କୋଠା, ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ୟ୍ୟାଳୟରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍।
ଏଥିସହିତ ଗୋଟିଏ କାର୍, ୨ଟି ବାଇକ୍, ୨ କେଜିରୁ ଊର୍ଦ୍ଧ୍ବ ରୁପା, ୧୦୦ ଗ୍ରାମରୁ ଅଧିକ ସୁନା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଘରୁ ଜବତ ହୋଇଛି। ଚଢ଼ାଉରେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍ପି ମହେଶ୍ବର ସେଠୀ, ଡିଏସ୍ପି ଏସ୍କେ ସାମନ୍ତରାୟ, ଏସ୍କେ ମାଝୀ, ଦକ୍ଷିଣଚାନ୍ଦ ମୁର୍ମୁ ଓ ସିକନ୍ଦର ହେମ୍ବ୍ରମ୍ ଙ୍କ ସହିତ ୮ ଜଣ ଇନ୍ସପେକ୍ଟର, ୨ ଜଣ ଏସ୍ଆଇ, ୩ ଜଣ ଏଏସ୍ଆଇ, ୧୪ ଜଣ କନେଷ୍ଟବଳ ସାମିଲ ହୋଇଥିଲେ।