ଭଦ୍ରକ: ଦରମା ନ ମିଳିବାରୁ କିରାସିନ ଢ଼ାଳି ଆତ୍ମାହୁତୀ ଉଦ୍ୟମ । ୫ ବର୍ଷ ଧରି ଟଙ୍କା ନ ମିଳିବାରୁ ଶେଷରେ ଜଳସେଚନ ବିଭାଗ ଅଫିସ ଆଗରେ ଜୀବନ ହାରିବାକୁ ଉଦ୍ୟମ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗ କାର୍ୟ୍ୟାଳୟ ଆଗରେ । ଆତ୍ମାହୁତୀ ଉଦ୍ୟମ କରିଥିବା ବ୍ୟକ୍ତି ହେଲେ ବାସୁଦେବପୁର ପୌରପାଳିକା ମନ୍ଦାରି ଗାଁର ଦିବାକର ଦାସ । ଜଳସେଚନ ବିଭାଗର କର୍ମଚାରୀ ଦିବାକର ୧୯୮୩ ମସିହାରୁ ଚାକିରୀ କରିଥିବା ବେଳେ ୧୯୮୯ ମସିହାରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା । ହେଲେ ଦିବାକର ଉକ୍ତ ଛଟେଇ ଘଟଣାକୁ ନେଇ କୋର୍ଟ କରିବାରୁ ପୁଣି ୨୦୧୬ ମସିହାରେ ତାଙ୍କୁ ପୁଣି ଚାକିରୀରେ ଯୋଗଦେବାକୁ କୋର୍ଟ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଦିଆଯାଇଥିଲା । ବିଭାଗ ପକ୍ଷରୁ ତାଙ୍କୁ ଦରମା ନମିଳିବାରୁ ଦିବାକର ୨୦୧୮ ମସିହାରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାରୁ ଉଚ୍ଚ ପଦସ୍ତ ଅଧିକାରୀ ଦରମା ମିଳିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଅନଶନରୁ ଉଠାଇ ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ତାଙ୍କୁ ୫୭ମାସ ଧରି ଦରମା ପ୍ରଦାନ ଦିଆଯାଇନି । ଫଳରେ ନିଜ ଦରମା ପାଇଁ ଅନେକ ସମୟରେ ଧାରଣା ଦେବା ସହ ଅନଶନ କରିଥିଲେ । ସେତେବେଳେ ବିଭାଗ ପକ୍ଷରୁ ମିଳିଥିଲା, ଖୁବଶୀଘ୍ର ଦରମା ପ୍ରଦାନ ପାଇଁ ପ୍ରତିଶ୍ରୁତି । କିନ୍ତୁ ଆଜି ପର୍ୟ୍ୟନ୍ତ ତାଙ୍କୁ ତାଙ୍କର ଦରମା ଦିଆଯାଇନି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ଦିବାକର ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।