ଭାରତରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି | ତେଣୁ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହୋଇଛି | ଲୋକମାନେ କିଭଳି ଜଲ୍ଦି ବୁଷ୍ଟର ଡୋଜ ପାଇବେ ସେ ନେଇ ତତ୍ପର ହୋଇଉଠିଥିବାବେଳେ ଠକମାନେ ଏହାର ଫାଇଦା ଉଠାଉଛନ୍ତି | ଲୋକଙ୍କୁ ଠକିବା ପାଇଁ ଅପରାଧୀମାନେ ଏକ ନୂତନ ଉପାୟ ପାଇଯାଇଛନ୍ତି | ସାଇବର ଅପରାଧୀମାନେ ବୁଷ୍ଟର ଟିକା ବିଷୟରେ ସୂଚନା ଦେବା ବାହାନାରେ ଲୋକଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରୁଛନ୍ତି | ପରେ ସେହି ବିବରଣୀଗୁଡ଼ିକ ନେଇ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାରେ ସଫଳ ହେଉଛନ୍ତି | ଫଳରେ କିଛି ମିନିଟ୍ ମଧ୍ୟରେ ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି |
ଚାଲନ୍ତୁ ଜାଣିବା କେମିତି ହେଉଛି ଏହି ଠକେଇ :
ସାଇବର ଅପରାଧୀମାନେ ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ କରିଛନ୍ତି | ସେମାନେ ପ୍ରଥମେ ବରିଷ୍ଠ ନାଗରିକମାନଙ୍କୁ କଲ କରୁଛନ୍ତି ଏବଂ ନିଜକୁ ଜଣେ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଉଛନ୍ତି | ପରେ ସେମାନେ ପଚାରୁଛନ୍ତି ଆପଣ ଡବଲ୍ ଡୋଜ ଟୀକା ନେଇଛନ୍ତି ନା ନାହିଁ | କେତେକ କ୍ଷେତ୍ରରେ ଅପରାଧୀମାନେ ପୂର୍ବରୁ ଆପଣଙ୍କ ବିଷୟରେ ସମସ୍ତ ସୂଚନା ସଂଗ୍ରହ କରି ରଖିଥାନ୍ତି | ନିଜକୁ ଜଣେ ପ୍ରକୃତ ସରକାରୀ କର୍ମଚାରୀ ଭାବେ ପରିଚୟ ଦେବା ପାଇଁ, ସେ ଆପଣଙ୍କ ନାମ, ବୟସ, ଠିକଣା ଏବଂ ଅନ୍ୟାନ୍ୟ ବିବରଣୀ ମାଗନ୍ତି | ଏପରିକି ଟୀକାକରଣର ତାରିଖ ମଧ୍ୟ ପଚାରି ବୁଝିଥାନ୍ତି | ଏହା ପରେ ସେମାନେ ପଚାରିଥାନ୍ତି, ଆପଣ କୋଭିଡ -19 ର ବୁଷ୍ଟର ଡୋଜ ନେବାକୁ ଆଗ୍ରହୀ ଅଛନ୍ତି କି ? ଆପଣ ଏହା ପାଇଁ ଏକ ସ୍ଲଟ ବୁକ୍ କରିବାକୁ ଚାହୁଁଛନ୍ତି କି? ଯଦି ଆପଣ ରାଜି ହୋଇଯାଉଛନ୍ତି ଡୋଜ ପାଇଁ ଉପଯୁକ୍ତ ତାରିଖ ଏବଂ ସମୟ ଯାଞ୍ଚ କରିବା ପରେ, ଠକମାନେ କୁହନ୍ତି ଆପଣଙ୍କ ମୋବାଇଲକୁ ଏକ OTP ଯିବ | ଏହିଠାରେ ହିଁ ପ୍ରକୃତ ଠକେଇ ଆରମ୍ଭ ହୁଏ | ଥରେ ଆପଣ ସେମାନଙ୍କୁ OTP କହିବାର କିଛି ମିନିଟ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥାଏ |
କିପରି ହେବେନି ଠକେଇର ଶିକାର :
ଆପଣଙ୍କୁ ଧ୍ୟାନ ରଖିବା ଦରକାର ଯେ, ସରକାର ଫୋନ୍ କଲ ମାଧ୍ୟମରେ ଟିକା ସ୍ଲଟ୍ ବୁକ୍ କରନ୍ତି ନାହିଁ | ଯଦି ଆପଣ କୋଭିଡ୍ -19 ଟିକା ପାଇଁ ସ୍ଲଟ୍ ବୁକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ http://cowin.gov.in ସାଇଟ୍କୁ ଯାଇ ସ୍ଲଟ୍ ବୁକ୍ କରିପାରିବେ | ଆପଣ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପେଜକୁ ଯାଇପାରିବେ | ଯଦି ଅନଲାଇନ ଜରିଆରେ ଆପଣ ଏକ ସ୍ଲଟ୍ ବୁକ୍ କରିବାକୁ ସକ୍ଷମ ହୋଇପାରୁନାହାନ୍ତି, ତେବେ ଆପଣ ଏକ ବୈଧ ସରକାରୀ ID କାର୍ଡ ସହିତ ଯେକୌଣସି ଟୀକାକରଣ କେନ୍ଦ୍ରକୁ ଯାଇ ଆପଣ ଟୀକା ନେଇପାରିବେ |
ଲୋକମାନେ ସାଧାରଣତଃ OTP ସହିତ ଆସୁଥିବା ମେସେଜକୁ ନପଡ଼ି ଏଡାଇ ଦେଇଥାନ୍ତି | କିନ୍ତୁ ଆପଣ ସବୁବେଳେ OTP ସହିତ ଆସୁଥିବା ମେସେଜକୁ ପଢିବା ଉଚିତ, କାରଣ ଏହି କୋଡ୍ କ’ଣ ପାଇଁ ବ୍ୟବହୃତ ହେବ ତାହା ଜଣା ପଡ଼ିଯାଇଥାଏ | ଆପଣ ଏହି ଏକକାଳୀନ ପାସୱାର୍ଡକୁ କାହା ସହିତ ସେୟାର କରିବା ଉଚିତ୍ ନୁହେଁ |