ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ | ତେବେ ରାଗିଂ ଯୋଗୁ ନିଶାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମୃତ୍ୟୁ ପୂର୍ବରୁ ନିଶାନ୍ତ ତାଙ୍କ ବନ୍ଧୁଙ୍କ ସହ କରିଥିବା ଚାଟରୁ ଜଣାପଡୁଛି କଲେଜରେ ସିନିୟରମାନେ ରାଗିଂ କରୁଥିଲେ | ଆଉ ସେ ବହୁତ ମାନସିକ ଚାପରେ ଥିଲେ । ମୃତ ଛାତ୍ର ନିଶାନ୍ତଙ୍କ ହ୍ୱାଟସଆପ୍ ଚାଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ଆଉ ଜଣେ ଡ଼ାକ୍ତରୀ ଛାତ୍ରୀ ନିରୂପମା ନନ୍ଦ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି | ଛାତ୍ରୀଙ୍କ ପରେ ନିଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ଆହୁରି ଘନିଭୂତ ହେବାରେ ଲାଗିଛି ।
ସାଇଣ୍ଟିଫିକ୍ ଟିମ୍ କଲେଜ କ୍ୟାମ୍ପସ୍ର ଛାତ୍ରାବାସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଦର ଏସ୍ଡିପିଓ ତୋଫାନ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଛାନ୍ବିନ୍ କରିଛନ୍ତି। ଛାତ୍ରାବାସର ୩୧୨ ନମ୍ବର ରୁମରେ ନିଶାନ୍ତ ରହୁଥିଲେ। ସେହି ରୁମରୁ ନିଶାନ୍ତ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଓ ଡାଇରିକୁ ପୋଲିସ ଜବତ କରିଛି।
ଅନ୍ୟପକ୍ଷେ ମୃତ ଛାତ୍ରଙ୍କ ଦୁଇ ମାମୁଙ୍କ ସହ ମା’ବାପା ହରିୟାଣାରୁ ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ମୃତକଙ୍କ ପରିବାର ସିଧାସଳଖ ରାଗିଂ ହୋଇଥିବା ଅଭିଯୋଗ କରିଥିଲେ ସୁଦ୍ଧା ଥାନାରେ କୋୖଣସି ଲିଖିତ ଅଭିଯୋଗ କରିନାହାନ୍ତି । କିନ୍ତୁ ଉକ୍ତ ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ତେବେ ନିଶାନ୍ତ ମାନସିକ ଦୁଶ୍ଚିନ୍ତାରେ ଥିବାବେଳେ ହଷ୍ଟେଲ ଛାତରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । କିନ୍ତୁ ସେ ନିଜେ ଡେଇଁଛନ୍ତି ନା ତାଙ୍କୁ ଠେଲି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଗତ କିଛି ଦିନ ତଳେ ଆଉ ଜଣେ ଡ଼ାକ୍ତରୀ ଛାତ୍ରୀ ନିରୂପମା ନନ୍ଦ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି | ତେବେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।