ମହାନ ଉପଲବଧି କେବେ ସହଜରେ ହାସଲ ହୁଏନି । ଆଉ ସହଜରେ ହାସଲ ହେଉଥିବା ଉପଲବଧି କେବେ ମହାନ ହୋଇ ପାରେନା । ଏହାଥିଲା ସ୍ୱରାଜ ଆନ୍ଦୋଳନର ପୂରଧା ମହାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କର ଜାତି ଉଦ୍ୟେଶ୍ୟରେ ମହାନ ବାଣୀ। ଆମ ଦେଶକୁ ପରାଧୀନତାର ଶିକୁଳିରୁ ମୁକୁଳାଇବା ପାଇଁ ମା ଭାରତୀର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଆଜି ମନେପକାଉଛି ପୁରା ଦେଶ । ୨୩ ଜୁଲାଇ ୧୮୫୬ ମସିହାରେ ମହାରାଷ୍ଟ୍ରର ରତ୍ନାଗିର ଜିଲ୍ଲାରେ ଜନ୍ମ ହୋଇଥିଲେ ଗଙ୍ଗାଧର ତିଲକଙ୍କ। ସତେ ଯେମିତି ସିପାହୀ ବିଦ୍ରୋହକୁ ନିଜ ସାଙ୍ଗରେ ଧରି ଆସିଥିଲେ ନବଭାରତର ନିର୍ମାତା ଏହି ଯୁଗାନ୍ତକାରୀ ପୁରୁଷ । ପିତା ରାମଚନ୍ଦ୍ର ତିଳକ ଏବଂ ମାତା ପାର୍ବତୀ ବାଇ ଏହି ସୁଯୋଗ୍ୟ ସନ୍ତାନ ଗଙ୍ଗାଧର ବାଲ୍ୟଶିକ୍ଷା ପରେ ପୁନେ କଲେଜରୁ ଗଣିତରେ ସ୍ନାତକ ଏବଂ ଏଲ ଏଲ ବି ଶିକ୍ଷା ପ୍ରାପ୍ତ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ମାତା ଓ ୧୬ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ ଗଙ୍ଗାଧର। ପିତାମହ ବା ଅଜା ରାମଚନ୍ଦ୍ର ପଂଥଙ୍କର ମାର୍ଗ ଦର୍ଶନ ଗଭୀର ପ୍ରଭାବ ପକାଇଥିଲା ଗଙ୍ଗାଧରଙ୍କ ଉପରେ। ପ୍ରଥମେ ପୁନେ କଲେଜରେ ଗଣିତ ଶିକ୍ଷକ ପରେ ସାମ୍ବାଦିକତା କରିଥିଲେ ସେ । ପରାଧୀନ ଭାରତକୁ ସ୍ୱାଧୀନ କରିବା ମୁଖ୍ୟ ଉଦେଶ୍ୟ ଥିଲା ତାଙ୍କର । ବାଲ ଗଙ୍ଗାଧର ସଦା ସର୍ବଦା ଛୁଆଁ ଅଛୁଆଁକୁ ବିରୋଧ କରୁଥିଲେ । ସ୍ବଦେଶୀ .ସ୍ୱରାଜ ବିଦେଶୀ ବସ୍ତୁ ବହିଷ୍କାର ଏବଂ ରାଷ୍ଟ୍ରୀୟ ଶିକ୍ଷା ଗଙ୍ଗାଧରଙ୍କର ମୁଖ୍ୟ ଆୟୁଧ ଥିଲା । ସ୍ବଦେଶୀ ଆନ୍ଦୋଳନର ପୁରୋଧା ଗଙ୍ଗାଧରଙ୍କୁ ଅନେକ ଅନେକ ବାର କାରାବରଣ କରିବାକୁ ପଡିଥିଲା ମହାରାଷ୍ଟ୍ରରେ ପାଳିତ ହେଉଥିବା ଗଣେଶ ଉତ୍ସବ ଏକଦା ବାଳ ଗଙ୍ଗାଧରଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଏହାର ଉଦେଶ୍ୟ ଥିଲା ସ୍ୱାଧୀନତା ସଂଗ୍ରାମରେ ଦେଶବାସୀଙ୍କୁ ଏକାଠି ବାନ୍ଧି ରଖିବା । ୧୯୨୦ ମସିହା ଅଗଷ୍ଟମାସ ଏକ ତାରିଖ ଦିନ ବାଲ ଗଙ୍ଗାଧର ତିଲକଙ୍କର ଦେହାବସାନ ହୋଇଥିଲା। ଗଙ୍ଗାଧର ତିଲକଙ୍କର ମହାପ୍ରଣାୟ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ଆଧୁନିକ ଭାରତର ସ୍ବଦେଶୀ ପୁରୋଧା ମହାନ ସ୍ୱାଧୀନତା ସଂଗ୍ରାମୀ ବାଳ ଗଙ୍ଗାଧର ତିଲକଙ୍କ ପୁର୍ଣ୍ୟ ତିଥି ଅବସରରେ NNS ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।