ବାହାନଗା(ଏନଏନଏସ୍): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ମାସକ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ସହ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ଏଭଳି ଭୟଙ୍କର ଦୁର୍ଘଟଣା କେମିତି ହେଲା ସେନେଇ ତଦନ୍ତ ଜାରି ରଖିଛି ସିବିଆଇ । ଅନ୍ୟପଟେ ଦୁର୍ଘଟଣାର ଏକମାସ ପରେ ବଦଳି ହୋଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛି କ୍ୟାବିନେଟ ଆପଏଣ୍ଟସ୍ କମିଟି।
ଅନ୍ୟପଟେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀ। ଜୁନ ୨ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଲୁପ୍ ଡାଉନ ଲାଇନରେ ଥିବା ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ତିନିଟି ଟ୍ରେନ ଦୁର୍ଘଟଣା ଘଟି ୨୯୩ଜଣପ୍ରାଣ ହରାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ପରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣ ପ୍ରାଣ ହରାଇଥିଲେ ।