ଅଜାନ-ହନୁମାନ ଚାଳିଶାକୁ ନେଇ ବଢୁଛି ବିବାଦ | ଏହା ଭିତରେ ମହାରାଷ୍ଟ୍ରର ନାସିକ ପ୍ରଶାସନ ନେଇଛି ଏକ ବଡ ନିଷ୍ପତ୍ତି। ସହରରେ ଅଜାନ ସମୟରେ ଲାଉଡସ୍ପିକରରେ ବାଜିପାରିବନି ହନୁମାନ ଚାଳିଶା | ନାସିକ ପ୍ରଶାସନର ଆଦେଶ ମୁତାବକ ଅଜାନର ୧୫ ମିନିଟ୍ ପୂର୍ବରୁ କିମ୍ବା ୧୫ ମିନିଟ୍ ପରେ ହିଁ ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବାକୁ ଅନୁମତି ମିଳିବ । ମସଜିଦର ୧୦୦ ମିଟର ଭିତରେ ହନୁମାନ ଚାଳିଶା ଲାଉଡସ୍ପିକରରେ ବଜାଇବାକୁ ଅନୁମତି ମିଳିବ ନାହିଁ । ସହରରେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାଶିକ ପ୍ରଶାସନ ପକ୍ଷରୁ କୁହାଯାଇଛି |
ନାଶିକ୍ ପୋଲିସ୍ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ, ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବା ପାଇଁ ଅନୁମତି ନେବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଧାର୍ମିକ ସ୍ଥାନକୁ ମେ୩ ତାରିଖ ପର୍ଯ୍ୟନ୍ତ ଲାଉଡ ସ୍ପିକର ବ୍ୟବହାର କରିବାକୁ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମଇ ୩ ପରେ, ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଂଘନ କରନ୍ତି, ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ତେବେ ନାସିକ ବ୍ୟତୀତ ଏହି ନିଷ୍ପତ୍ତି ସମଗ୍ର ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରାଯାଇପାରେ ବୋଲି କୁହାଯାଉଛି |
ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ଆଜି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବଜାଇବା ବିଷୟରେ ଆଲୋଚନା କରିବେ | ଅନୁମତି ପରେ କେବଳ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି |