କିନ୍ନରମାନଙ୍କ ପାଇଁ କ’ଣ ସବୁ ସରକାରୀ ସହାୟତା ରହିଛି ଓ କିପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ସଚେତନ କରାଯାଇଛି । ଜିଲ୍ଲା ସାସାଜିକ ସୁରକ୍ଷା ବିଭାଗ ଓ ସଖା ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆଜି କେନ୍ଦ୍ରାପଡା ବ୍ଲକରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କିନ୍ନରମାନଙ୍କ ପାଇଁ ସରକାର ଅନେକ ସୁବିଧା ସୁଯୋଗ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେମାନଙ୍କ ନିକଟରେ ପହଞ୍ଚି ପାରୁନି । ଫଳରେ କିନ୍ନରମାନେ ଘରଦ୍ବାର ଛାଡି ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି । ନିଜ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତିକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି । ସମାଜରେ ଏକ ପ୍ରକାର ପରିଚୟ ହରାଇ ବସିଥିବା ଏହି କିନ୍ନରମାନଙ୍କୁ ସରକାର ସମସ୍ତ ସହାୟତା କରିବାକୁ ସ୍ବିକୃତି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ କିନ୍ନରମାନଙ୍କୁ ସରକାରୀ ପରିଚୟ, ଭତ୍ତା, ଆଧାର କାର୍ଡ , ଶିକ୍ଷାଗତ ଯୋଗ୍ୟତା ଭିତିରେ ତାଲିମ୍, ବ୍ୟବସାୟ ଋଣ ସହାୟତା ଆଦି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ପାଠ ପଢୁଥିଲେ ସ୍କଲାରସିପ୍ ବ୍ୟବସ୍ଥା ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ୩୨ ଜଣ କିନ୍ନର ରହିଛନ୍ତି ବୋଲି ସଖା ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ରିପୋର୍ଟ ଦେଇଛି । କିନ୍ତୁ ସରକାରୀ ରେକର୍ଡ ଅନୁସାରେ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୮ ଜଣ କିନ୍ନର ରହିଛନ୍ତି ଓ ସରକାରୀ ସୁବିଧା ପାଇଛନ୍ତି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୂଚନା ଦେଇଛି। ଏହି ଆଠଜଣଙ୍କ ମଧ୍ୟରୁ ଜଣେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଇଛି ।