କଣ୍ଢେଇ ନାଚ ଏକ ଲୋକନୃତ୍ୟ । ଏହି ଲୋକକଳା ଏବେ ହଜି ଯିବାକୁ ବସିଲାଣି । ହଜି ଯାଉଥିବା ଲୋକକଳାଗୁଡିକୁ ପୁନଃ ପ୍ରଚଳନ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । କଣ୍ଢେଇ ନାଚ ମାଧ୍ୟମରେ କିଶୋର କିଶୋରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦିଆଯାଉଛି । କେନ୍ଦ୍ରାପଡା ବ୍ଲକର କୋରୋ ଗ୍ରାମରେ ଆଜି ଏଭଳି ଏକ ନିଆରା ଢଙ୍ଗରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିଶୋର ସ୍ୱାସ୍ଥ୍ୟ ଦିବସ ପାଳନ କରିବା ଅବସରରେ ଗ୍ରାମାଞ୍ଚଳରେ ଏହି କଣ୍ଢେଇ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କିଶୋର ବୟସରେ କ’ଣ କରାଯିବ ଓ କ’ଣ ନ କରାଯିବ ସେ ସମ୍ପର୍କରେ ସଚେତନ କରାଇବା ପାଇଁ କଣ୍ଢେଇ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କୋରୋ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । କିଶୋରକିଶୋରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ ସଚେତନତା ସଙ୍ଗୀତର ସଂଳାପ ରଚନା କରିଥିଲେ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା । ଏହାକୁ କଣ୍ଢେଇ ନୃତ୍ୟ ଭାବେ ରୂପାନ୍ତର କରିଥିଲେ କଳାକାର ଫକୀର ସିଂହ । ଅଭିନବ ଢଙ୍ଗରେ ଏହି ସ୍ୱାସ୍ଥ୍ୟ ସଚେତନତାକୁ ଉପଭୋଗ କରିଥିଲେ କୋରୋ ଗ୍ରାମର କିଶୋର କିଶୋରୀ ଓ ଜନସାଧାରଣ ।