ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଣିକି ହାଇକୋର୍ଟରେ ଆଉ ‘ମାଇଁ ଲର୍ଡ’ ସମ୍ବୋଧନ କରାଯିବ ନାହିଁ । ଏହା ବଦଳରେ ‘ସାର’ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଏବେ ଜଜଙ୍କୁ ଆଇନଜୀବୀମାନେ ସାର୍ ଭାବେ ସମ୍ବୋଧନ କରିବେ । କୋର୍ଟରେ ମାମଲା ପରିଚାଳନା ସମୟରେ ମାଇଁ ଲର୍ଡ ପରିବର୍ତ୍ତେ ସାର କିମ୍ବା ଅନରେବୁଲ୍ କୋର୍ଟ ବୋଲି ସମ୍ବୋଧନ କରିବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । 2016ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ଏହି ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀମାନେ ସ୍ବାଗତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୨୦ରେ ମୁରଲୀଧର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁରୂପ ନିର୍ଦ୍ଦେଶ ଦେଇଥିଲେ । ସେ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ସମ୍ବୋଧନରୁ ବିରତ ରହିବା ପାଇଁ କହିଥିଲେ । ଏହା ପୂର୍ବରୁ ମଧ୍ୟ ମୁରଲୀଧର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୂପ ନିୟମ ପାଳନ କରିବା ନେଇ ଅନୁରୋଧ କରିଥିଲେ । ଗତ ୨୦୧୪ରେ ସୁପ୍ରିମକୋର୍ଟ କହିଥିଲେ ଯେ, ବିଚାରପତିମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ସମୟରେ ଭଦ୍ର ଓ ଶାଳୀନତା ରକ୍ଷା କରିବା ଦରକାର । ମାତ୍ର ଏଥିପାଇଁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଓ ‘ୟୋର ଅନର’ ଭଳି ଶବ୍ଦର ବ୍ୟବହାର କରିବା ବାଧ୍ୟତାମୂଳକ ନୁହେଁ ।