ପରକୀୟା ପ୍ରୀତି ଜଣେ ବିବାହିତା ମହିଳାଙ୍କ ପାଇଁ ପାଲଟିଛି କାଳ | ଅନୈତିକ ସମ୍ପର୍କ କେତେଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଦେଖିବାକୁ ମିଳେ | ଜଣେ ବିବାହିତା ମହିଳାଙ୍କର ଜଣେ ଯୁବକଙ୍କ ସହ ଥିଲା ଅନୈତିକ ସମ୍ପର୍କ | ତେବେ ମହିଳାଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ନେଇ ତାଙ୍କ ପୁରୁଷବନ୍ଧୁଙ୍କ ସନ୍ଦେହ ହୋଇଥିଲା | ତେଣୁ ସେ ମହିଳାଙ୍କୁ ଏକ ଜଙ୍ଗଲକୁ ଡାକି ତାଙ୍କ ଦେହରେ ନିଆଁ ଲଗାଇ ଜିଅନ୍ତା ପୋଡି ମାରିବାକୁ କରିଥିଲେ ଉଦ୍ୟମ | ଏଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପସୀ ଅଞ୍ଚଳରେ | ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ | କାମାକ୍ଷାନଗର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି |
ସୂଚନାରୁ ଜଣାଯାଇଛି ଯେ, ପରଜଙ୍ଗ ଥାନା ଗଡ଼ପଳାଶୁଣୀ ଗାଁର ଟୁକୁ ବିଶ୍ୱାଳ ଓରଫ ରବି ଅନୁଗୁଳ ଜିଲ୍ଲା ବଂରପାଳ ଥାନା ପୁରୁକିଆ ଗାଁର ଜଣେ ବିବାହିତା ମହିଳାଙ୍କୁ ଭଲ ପାଇ ଆସୁଥିଲା | ଗତ ଦୁଇ ବର୍ଷ ପୂର୍ବରୁ ଏକ ମିସ କଲରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ତେବେ ମହିଳାଙ୍କର ଅନ୍ୟ କୋଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହ କରି ଟୁକୁ ତାଙ୍କୁ ଗତ ୧୨ ତାରିଖରେ ମୁକ୍ତାପସୀ ଗାଁ ପାଖ ଜଙ୍ଗଲ ନିକଟକୁ ଡାକିଥିଲେ | ମହିଳା ଜଣକ ସେଠାକୁ ଆସିବା ପରେ ଟୁକୁ ପ୍ରଥମେ ତାଙ୍କୁ ମାଡ଼ ମାରିଥିଲେ | ପରେ ମହିଳା ଜଣକ ଚେତା ଶୂନ୍ୟ ହୋଇଯିବାରୁ ତାଙ୍କ ଉପରେ ତାଳ ପତ୍ର ପକାଇ ନିଆଁ ଲଗେଇ ଦେଇଥିଲେ | ଏହାପରେ ଟୁକୁ ସେଠାରୁ ଚମ୍ପଟ ମାରିଥିଲେ | ସୋଭାଗ୍ୟବଶତଃ ସ୍ଥାନୀୟ ଲୋକେ ଦେଖି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି | ପୋଲିସ ଘଟଣାର ଛlନ ଭିନ କରୁଛି |