ମୟୁରଭଞ୍ଜ(ଏନଏନଏସ୍): ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଗିରଫ । ମୟୁରଭଞ୍ଜରେ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ପୂର୍ବରୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଏମ୍.ଡି ସୋନୁ ଆଲାମ୍ ନାମକ ଯୁବକକୁ ବିହାର ପାଟନାର ଯଶିପୁରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗତକାଲି ଆସଲମ୍ ସଲମାନ୍ ନାମକ ଏକ ଯୁବକକୁ ରାଜସ୍ଥାନର ନାଉଗାଓଁ ଥାନା ଅଂଚଳରୁ ଗିରଫ କରି ତାପାଖରୁ ଦୁଇଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ଗ୍ୟାସ କଟର, ନଗଦ ୫୦ହଜାର ଟଙ୍କା ଆଦି ଜବତ କରିଛି ପୋଲିସ । ତେବେ ଏହି ଗ୍ୟାଙ୍ଗରୁ ୨ଜଣ ଗିରଫ ହୋଇଥିବା ବେଳେ ଆହୁରି ୫ଜଣ ଏଥିରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କରଞ୍ଜିଆ ଏସଡିପିଓ କହିଛନ୍ତି ।
ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସ ୧୭ତାରିଖ ବିଳମ୍ବିତ ରାତିରେ ଡ୍ରାଇଭର ଆନ୍ଦୋଳନର ସୁଯୋଗ ନେଇ ଧୋବାଡିହା ଠାରେ ଥିବା ଏକ ଏସବିଆଇ ଏଟିଏମରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରଥମେ ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଗତକାଲି ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।