ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି । ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗ ନେଇ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ଇଡି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ଯେଉଁଠାରେ ତାଙ୍କୁ ନ୍ୟାୟିକ ହେପାଜତରେ ନେବାକୁ ଆବେଦନ କରିବ ଇଡି । ସୂଚନାଅନୁସାରେ ଅନିଲ ଦେଶମୁଖଙ୍କୁ ଇଡିରେ ହାଜର ହେବାକୁ ସମନ ହୋଇଥିଲା । ଗତକାଲି ସେ ED କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଦୀର୍ଘ ୧୨ ଘଣ୍ଟା ହେବ ଧରି ତାଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲା ଇଡି । ସେ ପଚରାଉଚରା ସହଯୋଗ କରିନଥିଲେ ତେଣୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିବା ପୂର୍ବରୁ ଆର୍ଥିକ ଅନୁସନ୍ଧାନକାରୀ ଏଜେନ୍ସି ଅନିଲ ଦେଶମୁଖଙ୍କ ବୟାନ ରେକର୍ଡ କରିଥିଲା ଯେଉଁଥିରେ ମାମଲାରେ ଅନ୍ୟ ଅଭିଯୁକ୍ତ ଓ ସାକ୍ଷୀଙ୍କ ବିବୃତ୍ତି ସମେତ ଏଜେନ୍ସି ଦ୍ବାରା ପ୍ରମାଣ ଏକାଠି ହୋଇଥିଲା । ଇଡି ଅଫିସରେ ହାଜର ହେବା ପରେ ଏକ ଭିଡିଓ ଜାରି କରି ଅନୀଲ ଦେଶମୁଖ କହିଛନ୍ତି ଆଜି ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ନିଜକୁ ହାଜିର କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପାରମବୀର ସିଂ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଆଜି କେଉଁଠାରେ ଅଛନ୍ତି ? ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଦେଶ ଛାଡିଛନ୍ତି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ଅନୀଲ ଦେଶମୁଖ । ଇଡି ମନି ଲଣ୍ଡରିଂକୁ ରୋକିବା ଧାରା ଅନୁସାରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚଳାଇଛି । ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ସିବିଆଇ ଓ ଇଡି । ଗତ ମାସ ଅନିଲଙ୍କ ବାସଭବନ ସମେତ ନାଗପୁର, ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ରହୁଥିବା ଅନିଲଙ୍କ ସମ୍ପର୍କୀୟଙ୍କ ପ୍ରାୟ ୩୦ଟି ଠିକଣାରେ ଛାନଭିନ ହୋଇଥିଲା । ଯେଉଁଥିରେ ଆୟକର ବିଭାଗ ପ୍ରାୟ ୧୭ କୋଟି ଟଙ୍କା ଜବତ କରିଥିଲା । ଗତ ସେପ୍ଟେମ୍ବର ୨ ତାରିଖରେ ଦେଶମୁଖଙ୍କ ପ୍ରାଥମିକ ତଦନ୍ତ ସମ୍ବନ୍ଧୀୟ ଗୁପ୍ତ ଦଲିଲ ଲିକ୍ ଅଭିଯୋଗରେ ସିବିଆଇ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗା ଏବଂ ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ଗିରଫ କରିଥିଲା ।