ଗଞ୍ଜେଇ କାରବାରର ଭୂସ୍ଵର୍ଗ ପଲିଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଓ କୋରାପୁଟ ଜିଲ୍ଲା | ଉପାନ୍ତ ଦୁଇ ଜିଲ୍ଲାରେ ବଢୁଛି ଗଞ୍ଜେଇ କାରବାର | କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ କାବୁ କରିଛନ୍ତି | ତାଙ୍କ ନିକଟରୁ ପୋଲିସ ୩୧୭ କେଜି ଗଞ୍ଜେଇ ଜବତ କରିଛି | ଚୋରା ଚାଲାଣ ହେଉଥିବା ଏକ ବୋଲେରୋ ପିକଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ |
ପଟାଙ୍ଗି ଥାନା ପୋଲିସ ଗତକାଲି ରାତିରେ ରାଲେଗଡ଼ା ଠାରୁ ସୁଙ୍ଖି ଯିବା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଭରା ଏକ ବୋଲେରୋ ପିକଅପ ଗାଡି ଯାଉଥିବା ସୂଚନା ମିଳିଥିଲା।ଭୋର ସମୟରେ ଉକ୍ତ ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୫ଟି ଜରି ବ୍ୟାଗରେ ଥିବା ଗଞ୍ଜେଇକୁ ଜବତ କରିଥିଲେ | ବୋଲେରୋ ପିକଅପ ଗାଡି ସହ ଡ଼୍ରାଇଭରକୁ କାବୁ କରିଥିଲା ପଟାଙ୍ଗି ପୋଲିସ। ଥାନାକୁ ଆଣି ଗଞ୍ଜେଇକୁ ଓଜନ କରିବାରୁ ସେଥିରେ ୩୧୭ କେଜି ୨୦୦ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ତାଙ୍କ ପାଖରୁ ଏକ ଫୋନକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ବେନିଲା ଉମାଶଙ୍କର (୩୮)। ଖୁବଶୀଘ୍ର ଗଞ୍ଜେଇ ଚୋରାଚାଲାଣକାରୀ ମାଫିଆଙ୍କୁ ଗିରଫ କରାଯିବ ବୋଲି ଏସଆଇ କରୁଣାକର ଶବର ସୂଚନା ଦେଇଛନ୍ତି।