କଥାରେ ଅଛି ରଖେ ହରି ମାରେ କିଏ | ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି ତାର କେହି କିଛି ବି କ୍ଷତି କରିପାରିବନି | ଭଗବାନ କୌଣସି ନା କୌଣସି ରୂପରେ ଆସି ତାଙ୍କ ଭକ୍ତକୁ ରକ୍ଷା କରିଥାନ୍ତି | ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳର ପଲକ୍କଡ ଅନ୍ତର୍ଗତ ମାଲାମପୁଝାରେ | ଏଠାରେ ଥିବା ଏକ ପାହାଡର ପଥର ସନ୍ଧିରେ ଆର ବାବୁ ନାମକ ଜଣେ ଯୁବ ପର୍ବତାରୋହୀ ଗତ 2 ଦିନ ଧରି ଫସିକି ରହିଥିଲେ | ଗତ ସୋମବାରଠାରୁ ପଥର ସନ୍ଧିରେ ଫସି ରହିଥିବା ଏହି ଯୁବକ ଦୁଇ ଦିନ ହେଲା ନା କିଛି ଖାଦ୍ୟ ଖାଇଥିଲେ ନା ପାଣି ପିଇଥିଲେ | ଅତି ବିପଦସଙ୍କୁଳ ଅବସ୍ଥାରେ ଏକ କ୍ଷୁଦ୍ର ପଥରକୁ ଆଶ୍ରା କରି ରହିଥିଲେ । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନ ଓ ବାୟୁସେନା ଯବାନ ଏହି ରେସକ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ଏହି ଅପରେସନ୍ ସମୟରେ ଯବାନମାନଙ୍କୁ କଠିନ ସଂଘର୍ଷ କରିବାକୁ ପଡିଥିଲା। ତାଙ୍କ ନିକଟରେ ପହଂଚିବା ପାଇଁ ଯବାନମାନଙ୍କୁ 2 ଦିନ ସମୟ ଲାଗିଯାଇଥିଲା | ଆଜି ସକାଳ 10ଟାରେ ଯବାନମାନେ ସେଠାରେ ପହଂଚି ବହୁ ସତର୍କତା ସହ ଆର ବାବୁଙ୍କୁ ଉଦ୍ଧାର କରିଥିଲେ | ପରେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତୀୟ ଯବାନଙ୍କ ଏଭଳି ସାହସିକତା ପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସା କରାଯାଉଛି | ଆର.ବାବୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗ ଗତ ସୋମବାର ଚେରାଡ ପର୍ବତ ଚଢ଼ିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଦୁଇ ଜଣ ସାଙ୍ଗ ଏଥିରେ ବ୍ୟର୍ଥ ହୋଇଥିବା ବେଳେ ଆର. ବାବୁ ଶୀର୍ଷକୁ ଯାଇପାରିଥିଲେ । କିନ୍ତୁ ଶୀର୍ଷରେ ପହଞ୍ଚିବା ମାତ୍ରେ ସେ ଖସିପଡି ଏକ ପଥର ସନ୍ଧିରେ ଲାଖି ଯାଇଥିଲେ ।
https://youtu.be/N0Fgxyd8fHw