ଆଜି ଆକାଶରେ ଦେଖା ଦେବ ଗୋଲାପୀ ଜହ୍ନ | ପୂର୍ଣ୍ଣିମା ଅବସରରେ ଆକାଶରେ ଚମକିବ ଗୋଲାପୀ ରଙ୍ଗର ଜହ୍ନ । ତେବେ ମଧ୍ୟରାତ୍ରି ପରେ ଆପଣ ଆକାଶରେ ଗୋଲାପୀ ରଙ୍ଗର ଜହ୍ନ ଦେଖିପାରିବେ | କିନ୍ତୁ ଦୁନିଆର ବିଭିନ୍ନ ସ୍ଥାନରେ ଲୋକମାନେ ଏହାକୁ ଏପ୍ରିଲ ୧୫ ରୁ ଏପ୍ରିଲ ୧୮ ମଧ୍ୟରେ ଦେଖିପାରିବେ | ଏନେଇ ନାସା ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ନାସାର କହିବା ଅନୁଯାୟୀ ଏହି ଗୋଲାପୀ ଜହ୍ନ କିଛି ଦେଶରେ ୩ ଦିନ ଧରି ଦେଖାଯିବ । ହେଲେ ଖୁବ୍ କମ୍ ସମୟ ପାଇଁ ଏହା ପୂର୍ଣ୍ଣ ମାତ୍ରାରେ ଦେଖାଦେବ |
ତେବେ ଗୋଲାପୀ ଜହ୍ନକୁ ନେଇ କିଛି କାରଣ ରହିଛି । ବସନ୍ତ ଋତୁରେ ଗୋଲାପୀ ରଙ୍ଗର ଫୁଲ ବହୁତ ଫୁଟି ଥାଏ | ସେଥିପାଇଁ ଏହାକୁ ପୂର୍ଣ୍ଣଚନ୍ଦ୍ର କିମ୍ବା ଏପ୍ରିଲର ଗୋଲାପୀ ଚନ୍ଦ୍ର କୁହାଯାଏ ବୋଲି ନାସାର ମୁଖ୍ୟାଳୟର ସାଇନ୍ସ ମିସନ୍ ଡାଇରେକ୍ଟୋରେଟ୍ ପ୍ରୋଗ୍ରାମ ଏକଜିକ୍ୟୁଟିଭ୍ ଗୋର୍ଡନ୍ ଜନଷ୍ଟନ୍ କହିଛନ୍ତି । ନାସାରେ କାର୍ଯ୍ୟରତ ଜଣେ ବୈଜ୍ଞାନିକ ଆଣ୍ଡ୍ରେଆ ଜୋନ୍ସ କହିଛନ୍ତି ଯେ ଚନ୍ଦ୍ରର କକ୍ଷପଥ ପୃଥିବୀର କକ୍ଷପଥଠାରୁ ପାଞ୍ଚ ଡିଗ୍ରୀ ଭିନ୍ନ ଅଟେ। ସେଥିପାଇଁ ଏହା ସର୍ବଦା ପୃଥିବୀର ଛାୟାର ଟିକେ ଉପରେ କିମ୍ବା ଟିକେ ତଳେ ରହିଥାଏ | ଏହି କାରଣରୁ, ସୂର୍ଯ୍ୟକିରଣ ଚନ୍ଦ୍ରର ନିକଟତମ ଅଂଶ, ଯାହାକି ପୃଥିବୀ ଆଡକୁ ରହିଥାଏ ତାକୁ ଆଲୋକିତ କରେ | ଫଳରେ ଚନ୍ଦ୍ରର ରଙ୍ଗ ଗୋଲାପୀ ଦେଖାଯାଇଥାଏ |
ଏହି ଗୋଲାପୀ ଚନ୍ଦ୍ରର ଅନ୍ୟାନ୍ୟ ନାମ ମଧ୍ୟ ରହିଛି | ଯେପରିକି ଗ୍ରାସ ମୁନ, ଏଗ ମୁନ ଇତ୍ୟାଦି | ଇହୁଦୀମାନେ ଏହାକୁ ପିସାକ୍ କିମ୍ବା ପାସଓଭର ବୋଲି ମଧ୍ୟ କହନ୍ତି | ଖ୍ରୀଷ୍ଟିଆନମାଲେ ଏହାକୁ ପାଶାଲ୍ ଚନ୍ଦ୍ର ବୋଲି କୁହନ୍ତି | ଏହି ଚନ୍ଦ୍ରର ଆଗମନ ପରେ ଇଷ୍ଟରର ତାରିଖ ସ୍ଥିର କରାଯାଏ |