ମୁମ୍ବାଇରେ ଆଜି ଏକ ଆପାର୍ଟମେଣ୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ | ଏହି ଅଗ୍ନିକାଣ୍ଡରେ ୭ଜଣ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି | ଅନ୍ୟ ୧୯ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଥିବା ୨୦ ମହଲା ବିଶିଷ୍ଟ ବିଲଡିଂର୧୮ ମହଲାରେ ଲାଗିଯାଇଥିଲା ନିଆଁ । ଅଧିକ ଧୂଆ ଯୋଗୁଁ ପାଖାପାଖି ରୁମରେ ରହୁଥିବା ଲୋକେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରାଯାଇ ୫ଟି ଆମ୍ବୁଲାନ୍ସରେ ନିକଟସ୍ଥ ଭାଟିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି | ଅନ୍ୟ ୧୩ଜଣଙ୍କୁ ସାଧାରଣ ବେଡରେ ରଖି ଚିକିତ୍ସା କରାଯାଉଥିବା ସୂଚନା ରହିଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏଠାରେ ଥିବା ‘କମଳା ଆପାର୍ଟମେଣ୍ଟ’ରେ ସକାଳ ପାଖାପାଖି ୭ଟା ସମୟରେ ନିଆଁ ଲାଗିଯାଇଥିଲା । । ଖବରପାଇ ଘଟଣାସ୍ଥଳରେ ୧୩ଟି ଦମକଳ ଓ ୭ଟି ପାଣି ଟାଙ୍କି ନିଆଁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଏବେ ବି ପ୍ରବଳ ଧୂଆଁ ନିର୍ଗତ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଉଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଏହି ବିଲଡିଂରେ ଲାଗିଥିବା ନିଆଁକୁ ଭୟଙ୍କର ଅଗ୍ନିକାଣ୍ଡ ଲେବଲ୍-୩ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିଛି ମୁମ୍ବାଇ ଅଗ୍ନିଶମ ବାହିନୀ। ଭାଟିଆ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପୋଡ଼ି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ସେ କହିଛନ୍ତି | ମହରାଷ୍ଟ୍ର ମନ୍ତ୍ରୀ ଆଦିଥ୍ୟନାଥ ଠାକରେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଛନ୍ତି।