ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ଲାଗିଛି ପୁଣି ଏକ ଝଟକା । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ବିଚାର କରି ରହିତାଦେଶ ସହିତ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଏହି ତିନି ଜଣ ହେଲେ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ । ବର୍ଷାଙ୍କ ଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ସଂସଦକୁ ଜଣାଇଥିଲେ ସାଂସଦ ଅନୁଭବ । ଅନୁଭବଙ୍କ ଅଭିଯୋଗ ପରେ କାର୍ଡ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ପାର୍ଲାମେଣ୍ଟ ସଚିବ । ଏନେଇ ପାର୍ଲାମେଣ୍ଟ୍ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ୍ ହୋଇଥିଲା । ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ମାମଲାକୁ ଗ୍ରହଣ କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୈବାହିକ ବିବାଦକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟା ଉପରେ ମଧ୍ୟ ଲଗାମ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।