ଆଦିବାସୀଙ୍କ ବିକାଶ ନାମରେ ଜନଜାତିଙ୍କ ବିନାଶ କରୁଛି ଲାଲ ବାହିନୀ । ମାଲକାନଗିର ଜିଲ୍ଲା ସ୍ୱାଭିମାନ ଅଂଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ଅଞ୍ଚଳରେ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ, ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମାଓବାଦୀ ମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ଏହି ଅଞ୍ଚଳବାସୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ମାଓବାଦୀମାନେ ଅଞ୍ଚଳ ଛାଡି ଚାଲିଯିବାକୁ ମାଓ ବିରୋଧି ପୋଷ୍ଟର ମରାଯାଇଛି | ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ମାଲକାନଗିରି ପକ୍ଷରୁ ଏହି ମାଓ ବିରୋଧୀ ପୋଷ୍ଟର ମରାଯାଇଛି |
ଚିତ୍ରକୋଣ୍ଡା ବ୍ଲକର ରାଲେଗେଡା, ସାରୁକୁବନ୍ଦ, ପାପରମେଟାଲ ଆଦି ଅଂଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ପୋଷ୍ଟରଗୁଡିକ ବିଭିନ୍ନ କାନ୍ଥ ବାଡରେ ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ମାଓବାଦୀ ଅଶୋକ, ପ୍ରଭାକର, ଶ୍ରୀକାନ୍ତ ଅତି କ୍ରୁରତା ସହ ଆଦିବାସୀ ଅଞ୍ଚଳବାସୀ ଲକ୍ଷ୍ମଣ ରାଓ ଓ ତାଙ୍କ ଭାଇ ସଂଜୀବ ରାଓଙ୍କୁ ପିଟିପିଟି ହତ୍ୟା କରିଥିବା ଉଲ୍ଲେଖ କରାଯାଇଛି | ସର୍ବସାଧାରଣ ସ୍ଥାନରେ ରାସ୍ତାଘାଟ ପୋଲ ଆଦି ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜି ଆଦିବାସୀମାନଙ୍କୁ ବିଗତ ଦିନରେ ହତ୍ୟା କରିଛନ୍ତି । ଗତ କିଛି ଦିନ ପୂର୍ବେ ଅଜୟ କୁମାର ଓ ବିଜୟ ରାଓ ଗାଈ ଚରାଇବାକୁ ଯାଇଥିବା ବେଳେ ବୋମା ବିସ୍ପୋରଣରେ ଦୁହିଁଙ୍କ ମୃତ୍ୟ ଘଟିଥିଲା ବୋଲି ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ କୁହାଯାଇଛି |
ଏହା ସହ ଅନେକ ପରିବାର ମାଓବାଦୀ ଆତଙ୍କରେ ଭିଟାମାଟି ଛାଡି ଦ୍ରୁବିସହ ଜୀବନ ଯାପନ କରୁଛନ୍ତି । ନିଜର ସ୍ୱାର୍ଥରେ ବାଧା ଉପିଜିଲେ ମିଲିସିୟା ଭାବେ ତାଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ମଧ୍ୟ ହତ୍ୟା କରୁଛନ୍ତି ମାଓବାଦୀ । ତେଣୁ ମାଓବାଦୀଙ୍କ ସପକ୍ଷବାଦୀଙ୍କୁ ସଂଘ ପକ୍ଷରୁ ଲାଲବାହିନୀ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଗାମୀ ଦିନରେ ମାଓବାଦୀ ମାନେ ଯେଭଳି ସେମାନଙ୍କ ଗ୍ରାମକୁ ନଆସନ୍ତି ଏବଂ ସ୍ଥାନୀୟ ଲୋକେ ସେମାନଙ୍କୁ ଖାଇବା ପିଇବା ନ ଦେବା ପାଇଁ ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଏହି ପୋଷ୍ଟେରରେ ଉଲେଖ ରହିଛି ।