ପୁଣି ଭାଇଚାରାର ଉଦାହରଣ ସୃଷ୍ଟି କଲା କେନ୍ଦ୍ରାପଡ଼ା । ଅନେକ ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ କେନ୍ଦ୍ରାପଡାରେ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛନ୍ତି ଦୁଇ ସମ୍ପ୍ରଦାୟ | ଯାହାକି ସହରରେ ଭାଇଚାରାର ନିଦର୍ଶନ ସୃଷ୍ଟି କରିଛି |
ଗତକାଲି ପବିତ୍ର ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ରାପଡାରେ ଏକ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଏଥିରେ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରୁ ବଜରଙ୍ଗ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ | ତେବେ ଏହି ଶୋଭାଯାତ୍ରାରେ ଗୋଟେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା | ସହରର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନେ ଶୋଭାଯାତ୍ରାରେ ସାମିଲ ପ୍ରତ୍ୟକ ଭାଇମାନଙ୍କୁ ସ୍ୱାଗତ କରିବା ସହ,ପାଣି, ଦହି ଏବଂ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ | ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ରାମ ନେବା ପାଇଁ ଟେଣ୍ଟ ବ୍ୟବସ୍ଥା ମଧ୍ୟ କରିଥିଲେ | ଯାହାକି କେନ୍ଦ୍ରାପଡାର ଭାଇଚାରାକୁ ଆହୁରି ମଜଭୁତ କରିଛି ବୋଲି କୁହାଯାଉଛି | ଅନ୍ୟପଟେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏବେ ପବିତ୍ର “ରମଜାନ” ମାସ ଚାଲିଥିବାରୁ ସେମାନେ ହିନ୍ଦୁ ଭାଇମାନଙ୍କ ପାଇଁ ଏହି ସେବା କରି ଖୁବ ଖୁସି ଓ ଆନନ୍ଦିତ ଥିବା କହିଛନ୍ତି।
ରାମନବମୀରେ ଛଦ୍ମବେଶୀ, ବାଂଲାଦେଶରୁ ଆସିଥିବା ଆତଙ୍କୀବାଦୀମାନେ ଯୋଡ଼ାରେ ଯେଉଁଭଳି ଅଘଟଣ ଘଟାଇଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ମତବ୍ୟକ୍ତ କରିଛନ୍ତି | ଏପରିକି ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାନ୍ତି ଅନୁରୋଧ କରିଛନ୍ତି | ସୂଚନା ଥାଉକି, ଦୀର୍ଘ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁ ସମସ୍ତ ପୂଜା ପାର୍ବଣ ବନ୍ଦ ରହିଥିଲା | ଚଳିତ ବର୍ଷ କଟକଣା କୋହଳ କରାଯାଇଥିବାରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ଏକତା ଶୋଭାଯାତ୍ରାରେ ସାମିଲ ହୋଇଥିଲୀ | ଇଚ୍ଛାପୁରସ୍ଥିତ ଗୁଣ୍ଡିଚା ମନ୍ଦିରରୁ ଜିଲ୍ଲାର ୯ଟି ବ୍ଲକ ଏବଂ ଦୁଇଟି ମ୍ୟୁନିସିପାଲିଟିର ପାଖାପାଖି ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।