ଡି ବ୍ରଦର୍ସ ନାଁରେ ଦାଦାବଟି ମାଗିବା ଅଭିଯୋଗ । ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ବନ୍ଧାହେବା ପରେ ଦୁଇ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛନ୍ତି ।
କମିଶନରେଟ୍ ପୋଲିସ ଏହି ଦୁଣ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠୁ ୯୨ ହଜାର ଟଙ୍କା ଜବତ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର । ପୁରୀ, ଭୁବନେଶ୍ୱର ଏବଂ କଟକରେ ବଟି ଆଦାୟ କରୁଥିବାର ଜଣାପଡିଛି । ଏମାନଙ୍କ ନାଁରେ ରାଜଧାନୀରେ ଅନେକ ଥାନାରେ ଏତଲା ରହିଛି । ଧଳସାମନ୍ତଙ୍କ ନାଁ କହି ଟଙ୍କା ଆଦାୟ କରିବାକୁ ଯୋଜନା କରି ଏପରି କରୁଥିଲେ । ହେଲେ ଦୁଇ ଅଭିଯୁକ୍ତଙ୍କର ଧଳ ସାମନ୍ତଙ୍କ ସହ କୌଣସି ସଂପର୍କ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି । ପୂର୍ବରୁ ସେମାନେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ସହ ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ।
ଉଭୟ ବିଭିନ୍ନ ସମୟରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଧମକ ଦେବା ସହ ଦାଦାବଟି ମାଗିଥାନ୍ତି । ଦାଦାବଟି ନଦେଲେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ପାଇଁ ମଧ୍ୟ ଏମାନେ ଧମକ ଚମକ୍ ଦିଅନ୍ତି । ଗିରଫ ଦୁଇ ଜଣ ହେଲେ କମଳାକାନ୍ତ ବାରିକ ଓ ଦିଲ୍ଲୀପ କୁମାର ଦାସ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଜଗତସିଂହପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଢେଙ୍କାନାଳ ବୋଲି ଜଣାପଡିଛି । କେବଳ ଲୋକଙ୍କୁ ଭୁଆଁ ବନେଇବା ପାଇଁ ସେମାନେ ଏପରି କରିଥିଲେ ।ଉଭୟଙ୍କ ନାଁରେ ଆଗରୁ କଟକ, ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।