ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ଅର୍ଥ ରାଶି ହଡପ ହୋଇଥିବା ଅଭିଯୋଗ ହୋଇଛି | ଜଣେ ବ୍ୟକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ବ୍ୟାଙ୍କରୁ ଋଣ ନେଇ ଶୁଝି ନଥିବା ବେଳେ ୬ ଲକ୍ଷ ୫୫ ହଜାର ଟଙ୍କା ଶୁଝିବା ପାଇଁ ବ୍ୟାଙ୍କରୁ ନୋଟିସ ଆସିଛି | ମହିଳାମାନେ ଋଣ ନେଇନଥିବା ବେଳେ ସେମାନେ କାହିଁକି ସୁଝିବେ ବୋଲି ଉକ୍ତ ବ୍ୟକ୍ତିଙ୍କୁ ପ୍ରଶ୍ନ କରିବାରୁ ସେ ଓଲଟା ଧମକ ଦେଉଥିବା ଅଭିଯୋଗ ହୋଇଛି | ଏ ନେଇ ଗୋଷ୍ଠୀର ମହିଳାମାନେ ଥାନାରେ ଅଭିଯୋଗ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି | ଏହି ଅଭିଯୋଗ ଜଗତସିଂହପୁର ଜିଲ୍ଲା ଅନ୍ତ୍ରଗର୍ତ ନାଉଗାଁ ବ୍ଲକ ଅଧୀନ ମଠସାହିରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କରାଯାଇଛି | ସମସ୍ତ ଅର୍ଥ ରାଶିକୁ ସେହି ଗ୍ରାମର ମାଧବ ନନ୍ଦ ଭୋଇ ହଡପ କରିଥିବା ମହିଳାମାନେ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି l ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୧୦ ବର୍ଷ ପୂର୍ବେ ମଠସାହି ଗ୍ରାମର ମାଧବାନନ୍ଦ ଭୋଇ ୧୦ ଜଣ ମହିଳାଙ୍କୁ ଏକତ୍ରିତ କରାଇ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ | ସେମାନଙ୍କୁ ଏକ ଟେଣ୍ଟ ହାଉସ ନିକଟରେ ଠିଆ କରାଇ ଫଟୋ ଉଠାଇ ସେହି ଗୋଷ୍ଠୀ ନାମରେ ବ୍ୟାଙ୍କରୁ ଲୋନ ଆଣିଥିଲେ | ହେଲେ ଏ ସମ୍ପର୍କରେ ଗୋଷ୍ଠୀର ମହିଳାମାନଙ୍କୁ କିଛି ନଜଣାଇ ସମସ୍ତ ଅର୍ଥ ରାଶିକୁ ଆତ୍ମସାତ କରିଥିଲେ | ମହିଳାମାନଙ୍କୁ ୫ ହଜାରେ ସବସିଡି ପଇସା କହି ଦେଇଥିଲେ l ମହିଳାମାନେ ଏହା କେଉଁ ପଇସା ପଚାରିବାରୁ ସେ କହିଲେ ତମର କିଛି ବୁଝିବା ଦରକାର ନାହିଁ l ହେଲେ ଦୀର୍ଘ ୧୦ ବର୍ଷ ପରେ ଋଣ ରାଶି ଖିଲାପ ହେବାରୁ ବ୍ୟାଙ୍କରୁ ୬ ଲକ୍ଷ ୫୫ ହଜାର ଟଙ୍କା ଶୁଝିବା ପାଇଁ ନୋଟିସ ଆସିଥିଲା | ଏହାକୁ ଦେଖି ମହିଳାମାନେ ମାଧବଙ୍କୁ ପଚାରିବାରୁ ସେ କହିଲେ ମୁ କିଛି ଜାଣିନାହିଁ | ଓଲଟା ସମସ୍ତ ମହିଳା ସଦସ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ l ଶେଷରେ ମହିଳାମାନେ ନିରାଶ ହୋଇ ଥାନାରେ ଲିଖିତ ଅଭଯୋଗ କରିଛନ୍ତି l ଯଦି ଆଗାମୀ ଦିନରେ ତାଙ୍କୁ ନ୍ୟାୟ ପ୍ରଦାନ କରାନଯାଏ ସେମାନେ ଥାନା ସମୁଖର ଆମରଣ ଅନଶନରେ ବସିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି |