ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଗୁରୁବାର ହାଇକୋର୍ଟ ଉତ୍ତରପ୍ରଦେଶ ନିର୍ବାଚନ ଘୁଞ୍ଚାଇବା ସହ ରାଜନୈତିକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଅନୁରୋଧ କରିଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ବିଚାରପତି ଶେଖର କୁମାର ଯାଦବଙ୍କ ଏକ ଖଣ୍ଡପୀଠ ଏହି ଅପିଲ କରିଛନ୍ତି ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ସମାବେଶ ତଥା ସଭା କରି ଲକ୍କ୍ଷାଧିକ ଲୋକଙ୍କୁ ଏକାଠି କରୁଛନ୍ତି । ଯେଉଁଠାରେ ନାଁ ରହୁଛି ସାମାଜିକ ଦୂରତା ନାଁ କରୋନା କଟକଣା । ଯଦି ଏହି ରାଲି ଓ ସମାବେଶକୁ ଠିକ୍ ସମୟରେ ବନ୍ଦ ନ କରାଯାଏ ତେବେ ଏହାର ପରିଣାମ ମହାମାରୀର ଦ୍ୱିତୀୟ ଲହର ଅପେକ୍ଷା ଅଧିକ ଭୟଙ୍କର ହୋଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।
ରାଜନୈତିକ ଦଳଗୁଡିକ ଟିଭି ଚ୍ୟାନେଲ ଏବଂ ଖବରକାଗଜ ମାଧ୍ୟମରେ ପ୍ରଚାର କରିବା ନିମନ୍ତେ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବାକୁ କୋର୍ଟ ଅନୁରୋଧ କରିଛନ୍ତି। ଏଥିସହ ଦଳ ଗୁଡ଼ିକର ନିର୍ବାଚନ ସଭା ଓ ରାଲିକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ କଡ଼ା ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିର୍ବାଚନ ଘୁଞ୍ଚାଇବା ଉପରେ ବିଚାର କରନ୍ତୁ । ଯଦି ସମ୍ଭବ ହେଉଛି ଆସନ୍ତା ଫେବୃଆରୀରେ ହେବାକୁ ଥିବା ନିର୍ବାଚନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇପାରିବ । ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ, ଜାନ ହୈ ତ, ଜହାନ ହୈ । ପ୍ରତିଦିନ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି । ମହାମାରୀକୁ ଦେଖି ଚୀନ, ନେଦରଲାଣ୍ଡ, ଆର୍ୟଲାଣ୍ଡ, ଜର୍ମାନୀ, ସ୍କଟଲାଣ୍ଡ ଭଳି ଦେଶ ଲକଡାଉନ୍ ଲାଗୁ କରିଛନ୍ତି । ତେଣୁ ଦେଶରେ ମଧ୍ୟ କରୋନା କଟକଣାକୁ କଡାକଡି କରାଯିବାବୁ କୋର୍ଟ କହିଛନ୍ତି ।