ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଏନେଇ ଆଜି ସକାଳ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ଉପସ୍ଥିତ ରହିବେ ।ଚଳିତ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ମାର୍ଚ୍ଚ ୩୦ରେ ୨୦୨୨-୨୩ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ।
ସାଧାରଣତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ । ଚଳିତ ଥର ପୌର ନିର୍ବାଚନରେ ବିଧାୟକମାନେ ବ୍ୟସ୍ତ ରହୁଥିବାରୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି । ସ୍ୱଳ୍ପ ସମୟ ବଜେଟ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । ଅଧିବେଶନରେ ପ୍ରଶ୍ନକାଳ, ଶୁନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ରହିବ । ବିଧାନସଭା ଆରମ୍ଭ ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ।