ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ସାରା ଓଡ଼ିଶା ଉତ୍ସବ ମୁଖର। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ । ଏହି ଦିନ ଚାଷୀ ଅଖି ମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଆଜିର ଦିନରେ ଚାଷୀମାନେ ନିଜ କ୍ଷେତକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ କାର୍ଯ୍ୟ ଅନୁକୂଳ କରିଥାନ୍ତି ।
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଚାଷୀ ଆଜି କ୍ଷେତରେ ବିହନ ପକାଇ ଚାଷ କାମ ଆରମ୍ଭ କରେ। ବିଶ୍ଵାସ ଅଛି ଏହିଦିନ ଠାରୁ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ। ଅକ୍ଷୟ ତୃତୀୟା ଅବସରରେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ । ସକାଳ ଧୂପ ପରେ ଆଜି ଅପରାହ୍ନ ୪ଟାରେ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାମ ଅନୁକୂଳ ହେବ । ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ଆରମ୍ଭ ହୁଏ । ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ।