ବହୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଶେଷରେ କେନ୍ଦ୍ରାପଡା ପୌରଞ୍ଚଳର ଉପାଧ୍ୟକ୍ଷା ହେଲେ ବିଜେଡିର ଆକବରୀ ଖାତୁନ | କେନ୍ଦ୍ରାପଡା ସହରରେ ମୁସଲମାନ ଭୋଟରଙ୍କ ହୃଦୟ ଜିଣିବାକୁ ପ୍ରୟାସ କରିଛି ବିଜେଡି ବୋଲି କୁହାଯାଉଛି । ଆକବରୀ ଖାତୁନଙ୍କ ନାମ ରାଜ୍ୟ ବିଜେଡି କାର୍ଯ୍ୟାଳୟରୁ ମିଳିଥିବା ଏକ ଜଉମୁଦଦିଆ ଲଫାପାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଆଣି ପହଞ୍ଚିଥିଲେ । ଦଳର ନିର୍ବାଚିତ ପ୍ରାର୍ଥି ମାନଙ୍କ ସମ୍ମୁଖରେ ଏହି ଚିଠି ଖୋଲାଯାଇଥିଲା | ତେବେ ୧୪ ନମ୍ବର ଓ୍ବାର୍ଡରୁ ବିଜୟୀ ହୋଇଥିବା ଆକବରୀ ଖାତୁନଙ୍କ ନାମ ବାହାରିଥିଲା । ଫଳରେ ଆକବରୀ ବିଜେଡି ଦଳର ପ୍ରାର୍ଥିନୀ ଭାବେ ନିଜର ନାମାଙ୍କନ ଦାଖଲ କରିଥିଲେ ।
କଂଗ୍ରେସ ପକ୍ଷରୁ ୧୯ ନମ୍ବର ଓ୍ବାର୍ଡରୁ ବିଜୟୀ କାଉନସିଲର ଉମେଶ ଦାସ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନରେ ଆକବରୀ ଖାତୁନ ୧୫ ଖଣ୍ଡ ଭୋଟ୍ ପାଇଁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି | କାଉନସିଲର ନିର୍ବାଚନରେ ବିଜେଡି ୧୧ ଟି ଓ୍ବାର୍ଡ କାଉନସିଲର ଜିତି ଥିଲା । କଂଗ୍ରେସ ୫ଟି କାଉନସିଲର ପଦବୀ ଜିତିଥିବା ବେଳେ ବିଜେପି ଗୋଟିଏ ସିଟ୍ ପାଇଥିଲା । ଦଳୀୟ ପ୍ରାର୍ଥୀ ମାନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅଭିଯୋଗରେ ୪ଜଣ ବିଜେଡି ନେତାଙ୍କୁ ଦଳରୁ ବହିସ୍କାର କରାଯାଇଥିଲା । ନିର୍ବାଚନରେ ଦଳିୟ ପ୍ରାର୍ଥିଙ୍କୁ ପରାସ୍ତ କରି ଏହି ୪ଜଣ ନେତା ସ୍ବାଧୀନ ପ୍ରାର୍ଥି ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ । ପୌର ଉପାଧ୍ୟକ୍ଷା ନିର୍ବାଚନରେ ଦଳରୁ ବହିସ୍କୃତ ନେତାଙ୍କ ଭୋଟ୍ ବିଜେଡି ଆଡକୁ ଯାଇଥିବାରୁ ୧୧ଟି ଓ୍ବାର୍ଡରେ ବିଜୟୀ ବିଜେଡି ଆଜି ୧୫ ଖଣ୍ଡ ଭୋଟ୍ ପାଇବାକୁ ସମର୍ଥ ହୋଇଛି ।