୬୯ ବର୍ଷ ପରେ ଟାଟା ଗ୍ରୁପକୁ ଫେରିବ ଏୟାର ଇଣ୍ଡିଆ | ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର କରାଯିବ | ଏଥିପାଇଁ ସମସ୍ତ ଔପଚାରିକତା ଶେଷ ହୋଇଥିବା ଜଣାପଡ଼ିଛି । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର 8 ରେ ସରକାରଙ୍କ ତରଫରୁ ହୋଇଥିବା ନିଲାମରେ ଏୟାର ଇଣ୍ଡିଆକୁ ଟେଲ୍ସ ପ୍ରାଇଭେଟ ଲିମିଟେଡ 18 ହଜାର କୋଟିରେ ନିଲାମୀ ଜିତିଥିଲେ | ଏହା ଟାଟା ଗ୍ରୁପ୍ ର ହୋଲ୍ଡିଂ କମ୍ପାନୀର ଏକ ଅଂଶ | ଏହା ପରେ ଅକ୍ଟୋବର ୨୧ ତରିଖରେ ବୁଝାମଣାରେ ହସ୍ତାକ୍ଷର କରିଥିଲେ କେନ୍ଦ୍ର ସରକାର । ତେବେ କେବେଠାରୁ ଟାଟା ଗ୍ରୁପ୍ ବ୍ୟାନରରେ ସମସ୍ତ ଏୟାର ଇଣ୍ଡିଆର ବିମାନ ଉଡ଼ାଣ କରିବ ତାହା ପରେ ଘୋଷଣା କରାଯିବ ବୋଲି କୁହାଯାଇଛି । ନିଲାମ ଜିତିବା ପରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍ କହିଛନ୍ତି ସମୟ ବଡ ବଳବାନ | ଏୟାର ଇଣ୍ଡିଆର ଏହି ଡିଲ୍ ଏହାର ଏକ ଉଦାହରଣ |
69 ବର୍ଷ ପୂର୍ବେ ଏୟାର ଇଣ୍ଡିଆ ଟାଟା ଗ୍ରୁପ୍ର ମାଲିକାନା ଥିଲା | ପରେ ସରକାର ଏହି ବିମାନ ସେବା ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ଏତେ ବର୍ଷ ପରେ ପୁଣିଥରେ ବିମାନ ସେବା ଟାଟା ଗ୍ରୁପ୍ ଅଧୀନକୁ ଚାଲି ଆସିଲା | ବର୍ତ୍ତମାନ ଟାଟା ଗ୍ରୁପ ଅଧୀନରେ ଦୁଇଟି ବିମାନ କମ୍ପାନୀ ଅଛି | ଏୟାର ଇଣ୍ଡିଆ ତୃତୀୟ ବ୍ରାଣ୍ଡ ହେବ | ଏହି ଗ୍ରୁପ୍ ଏୟାରଆସିଆ ଇଣ୍ଡିଆ ଏବଂ ବିସ୍ତାରାର ଅଧିକାଂଶ ଅଂଶଧନ ରହିଛି | ଏୟାର ଇଣ୍ଡିଆକୁ ପ୍ରଥମେ ଜେଆରଡି ଟାଟା ୧୯୩୨ ମସିହାରେ ଟାଟା ଏୟାରଲାଇନ୍ସ ନାଁରେ ଲଞ୍ଚ କରିଥିଲେ । ୧୯୪୬ରେ ଏହାର ନାମ ପରିବର୍ତନ କରି ଏୟାର ଇଣ୍ଡିଆ କରି ଦିଆଯାଇଥିଲା । ଏହା ପରେ ୧୯୫୪ରେ ସରକାର ଟାଟା ଠାରୁ ଏୟାର ଇଣ୍ଡିଆ କିଣି ତାହାର ରାଷ୍ଟ୍ରୀୟକରଣ କରିଥିଲେ ।