ବିଜୟ ଦିବସ ମନାଇ ଆନ୍ଦୋଳନରୁ ଓହରିଲେ କୃଷକ । ଖରା, ବର୍ଷା ଓ ଶୀତରେ ଖୋଲା ଆକାଶରେ ଦୀର୍ଘ 14 ମାସ ଧରି ପଡି ରହିଥିବା କୃଷକ ଆଜି ଘରମୁହାଁ ହୋଇଛନ୍ତି । ଦିଲ୍ଲୀର ସିଙ୍ଘୁ ସୀମାରେ ନିଜର ସଂଘର୍ଷ ଜାରି ରଖିଥିବା ଚାଷୀର ଶେଷରେ ବିଜୟ ହୋଇଛି । ଆଜି ସେ ବିଜୟର ବାନା ଧରି ଘରକୁ ଫେରୁଛି । କେନ୍ଦ୍ର ସରକାର ପ୍ରଣୟନ କରିଥିବା 3 କୃଷି ଆଇନ ପ୍ରତ୍ୟାହାର କରିବା ପରେ ଖୁସି ମନାଇ ଦିଲ୍ଲୀ ସୀମା ଛାଡ଼ିୁଛନ୍ତି କୃଷକ ସଂଗଠନ । ଦିଲ୍ଲୀରୁ ହରିୟାଣା, ପଞ୍ଜାବକୁ ଫେରୁଛନ୍ତି କୃଷକ । ଦିଲ୍ଲୀ ସୀମାର ସଡ଼କରେ ଲାଗିଥିବା ଅସ୍ଥାୟୀ ଟେଣ୍ଟ ଭଙ୍ଗା ଚାଲିଛି । ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ସଂଗଠନର ମୁଖ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛନ୍ତି ଯେ, କୃଷକମାନେ ଶନିବାର ଦେଶର ସମସ୍ତ ସୀମାବର୍ତ୍ତୀ ସ୍ଥାନ, ଟୋଲ୍ ପ୍ଲାଜା ଏବଂ ବିରୋଧ ସ୍ଥଳରୁ ବିଜୟ ପଦଯାତ୍ରା କରିବେ । ଡିସେମ୍ବର 15 ସୁଦ୍ଧା ସବୁ ସ୍ଥାନରୁ ଆନ୍ଦୋଳନ ହଟାଇ ଦିଆଯାଇଥିବ । ଖବର ଅନୁଯାୟୀ, କୃଷକମାନେ ଏହି ବିଜୟ ଦିବସକୁ ଡିସେମ୍ବର 10ରେ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବୁଧବାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତଙ୍କୁ ସମ୍ମାନ ଜଣାଇ 11 ତାରିଖ ଅର୍ଥାତ ଆଜିକୁ ସ୍ଥଗିତ ରଖିଥିଲେ । ବିଶୃଙ୍ଖଳାକୁ ଏଡାଇବା ପାଇଁ କୃଷକମାନେ ଶନିବାର ସକାଳେ ଏକାସାଙ୍ଗରେ ଆନ୍ଦୋଳନରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ଅମୃତସରର ଜଣେ କୃଷକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବୃହତ ଅସ୍ଥାୟୀ ତମ୍ବୁଗୁଡିକ ଭାଙ୍ଗିବା ପାଇଁ ଦିନେ କିମ୍ବା ଦୁଇ ଦିନ ସମୟ ଲାଗିବ । ଡିସେମ୍ବର 13ରେ ପଞ୍ଜାବ ସ୍ଵର୍ଣ ମନ୍ଦିରରେ ପହଞ୍ଚିବା ଲକ୍ଷ୍ୟ ରଖିଥିବା କୃଷକ ନେତା କହିଛନ୍ତି । ଦିଲ୍ଲୀରୁ ଫେରୁଥିବା କୃଷକଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି ।