ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଦେଖିବାକୁ ମିଳିଛି ଲାଲବାହିନୀର ତାଣ୍ଡବ । ସୁକୁମା ଜିଲ୍ଲାର ଗଡଚିରୋଲି ଅଂଚଳରେ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ | ଗୋରାଗୁଣ୍ଡା ଏବଂ ଝାରବେଡା ଗ୍ରାମରେ ପୋଲିସ ସୂଚନାଦାତା ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ | ସେଥିମଧ୍ୟରୁ ନବୀନ ନାରୋଟେ ନାମକ ବ୍ୟକ୍ତି ପୂର୍ବରୁ ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ପରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ଅନ୍ୟ ଜଣଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ଗୁଳି ହତ୍ୟା କରିଛନ୍ତି ନକ୍ସଲ । ସେହିଭଳି ଲ୍ୟାଣ୍ଡମାଇନ ବିସ୍ଫୋରଣ କରି କୋତାଚେରୁ-ଗୋରଖା ବ୍ରିଜକୁ ଉଡାଇ ଦେଇଛନ୍ତି ନକ୍ସଲ । ଘଟଣା ପରେ ସ୍ଥାନୀୟ ଅଂଚଳରେ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେଶନ ଜୋରଦାର କରାଯାଇଛି।
ଅନ୍ୟପକ୍ଷରେ ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଜଣେ ମାଓବାଦୀର ମୃତ୍ୟୁହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ମାଲକାନଗିରି ସୀମାନ୍ତବର୍ତ୍ତୀ ଅଂଚଳରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।