ଦୀର୍ଘ ୨୦ ବର୍ଷ ପରେ ବର୍ତ୍ତମାନ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ସରକାରର ଶପଥ ଗ୍ରହଣ ସମାରୋହ ଏକ ନୂଆ ମୋଡ ନେଇଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ତାଲିବାନ ସରକାର ଟଙ୍କା ଅପଚୟ ନ କରିବା ପାଇଁ ଶପଥ ଗ୍ରହଣ ସମାରୋହକୁ ବାତିଲ କରିଛନ୍ତି। ସରକାର ଗଠନ ପୂର୍ବରୁ ତାଲିବାନ ପଡୋଶୀ ଦେଶକୁ ଚୀନ୍, ତୁର୍କୀ, ପାକିସ୍ଥାନ, ଇରାନ, କତାର ଏବଂ ଭାରତ ତଥା ଆମେରିକା ଭଳି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଋଷ ତାଲିବାନଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବ ନାହିଁ ବୋଲି କହିଥିଲା । ତେବେ ଆଜିଠାରୁ ଠିକ୍ ୨୦ ବର୍ଷ ତଳେ ଅଲକାଏଦା ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଥିଲା ବିଶ୍ୱର ସବୁ ଶକ୍ତିଶାଳୀ ଦେଶ । ଯାହାକୁ ଆଜି ଯାଏ ଆମେରିକା ବାସୀ ଭୁଲି ପାରି ନାହାନ୍ତି । ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ୧୧୦ ମହଲା ବିଶିଷ୍ଟ ବିଶ୍ୱ ବାଣିଜ୍ୟ କେନ୍ଦ୍ରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ପ୍ରାୟ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବା ସହ ୨୫ ହଜାର ଲୋକ ଆହତ ହୋଇଥିଲେ ଏବଂ ପ୍ରାୟ ୧୦ ବିଲୟନ ଡଲାର ମୂଲ୍ୟର ସମ୍ପତି ନଷ୍ଟ ହୋଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମେରିକା ଆରମ୍ଭ କରିଥିଲା ଆତଙ୍କବାଦର ନିପାତ ଅଭିଯାନ ।
ଆଉ ଆଫଗାନିସ୍ତାନ ମାଟିରେ ରହି ଆତଙ୍କ ରଚିଥିବା ତତ୍କାଳୀନ ତାଲିବାନ ସରକାରକୁ ଟାର୍ଗେଟ କରି ଆଫଗାନିସ୍ତାନରୁ ତାଲିବାନକୁ ହଟାଇବାରେ ସଫଳ ହୋଇଥିଲା ଆମେରିକା । ତାଲିବାନୀ ଶାସନ ଅନ୍ତ ପରେ ଆମେରିକା, ନାଟୋ ରାଷ୍ଟ୍ର ଓ ଭାରତ ଭଳି ଦେଶର ସହାୟତାରେ ବିକାଶ ଦିଗରେ ଆଗେଇ ଚାଲିଥିଲା ଆଫାଗାନିସ୍ତାନ । ମହିଳାମାନଙ୍କୁ ପୁରୁଷଙ୍କ ଭଳି ପାଠ ପଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ସମାନ ଅଧିକାର ମିଳିବା ସହ ନିଜର ପାରଦର୍ଶିତା ଦେଖାଇଥିଲେ ଆଫଗାନ ମହିଳାମାନେ । କିନ୍ତୁ ଏବେ ପୁଣି ତାଲିବାନ ର ଶାସନ ପରେ ୨୦ ବର୍ଷ ତଳକୁ ଫେରିଯାଇଛି ଆଫଗାନିସ୍ତାନ । ନୂଆ ଶାସନରେ ସରିଆ ଆଇନ ଅନୁଯାୟୀ ଦେଶ ଚଳାଇବାକୁ ଘୋଷଣା କରିଛି ତାଲିବାନ । ଯାହାଦ୍ୱାରା ପୁଣି ଥରେ ଆଫଗାନ ମହିଳାଙ୍କ ସ୍ୱାଧୀନତା ନିଶ୍ଚିହ୍ନ ହୋଇଯାଇଛି । ନିର୍ଯାତନା ସହ ପ୍ରତି ମୂହୂର୍ତରେ ଜୀବନ ଯିବାର ଭୟରେ ଜୀବନ କାଟୁଛନ୍ତି ଆଫଗାନ ବାସୀ । ତାଲିବାନର ଏହି ନୂଆ ସରକାର ରେ ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖଣ୍ଡଜଡାଙ୍କୁ ସର୍ବୋଚ୍ଚ ପଦବୀ ଦିଆଯାଇଥିବାବେଳେ ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି। ଡେପୁଟି ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ବାରଦରଙ୍କୁ ଦିଆଯାଇଛି। ହକାନୀ ନେତାମାନଙ୍କୁ ମଧ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି । କାରଣ ତାଲିବାନ ସରକାର ସହ ଜଡିତ ଅନେକ ମୁଖ୍ୟ ଲୋକ ଆମେରିକାର ନିଷିଦ୍ଧ ତାଲିକାରେ ଅଛନ୍ତି । ତାଲିବାନ ମଧ୍ୟ ଏହାକୁ ବିରୋଧ କରି ଏହି ନେତାମାନଙ୍କୁ ପ୍ରତିବନ୍ଧକ ତାଲିକାରୁ ହଟାଇବାକୁ କହିଛି । ସେପଟେ ତାଳିବାନର ସରକାର ଗଠନ ପରେ ଆଫଗାନିସ୍ତାନର ସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ନିଜର ମନ୍ତବ୍ୟ ରଖିଛି । ଭାରତର ସ୍ଥାୟୀ ପ୍ରତିନିଧି, ଟିଏସ ମୂର୍ତି କହିଛନ୍ତିି ଯେ ଆଫଗାନିସ୍ତାନର ସ୍ଥିିତି ବର୍ତ୍ତମାନ ଗମ୍ଭୀର ରହିଛି । ଆଗକୁ ତାଲିବାନୀ ଶାସନରେ ଆଫଗାନିସ୍ଥାନ ମାଟି ଯେପରି କୌଣସି ଆତଙ୍କବାଦୀ କାର୍ଯ୍ୟ କଳାପରେ ବ୍ୟବହୃତ ନହୁଏ, ସେନେଇ ତାଲିବାନୀମାନେ ପ୍ରତିଶ୍ରୁତି ଦେବା ଆବଶ୍ୟକ । ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ଲସ୍କର ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ସମସ୍ତ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନକୁ ଯେପରି ଅନ୍ୟ ଦେଶ ବିରୋଧରେ ବ୍ୟବହାର ନକରନ୍ତି । ଏଥି ସହିତ ଆତଙ୍କବାଦୀ ପ୍ରଶିକ୍ଷଣ ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନଦେବା ପାଇଁ ପ୍ରତିଶ୍ରୁତି ଦେବା ଆବଶ୍ୟକ । ଏଥିସହ ଆଫଗାନିସ୍ତାନରେ ସ୍ଥିରତା, ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ବିନା ଭେଦଭାବରେ ପଦକ୍ଷେପ ନେବା ଆବଶ୍ୟକ । ଆହୁରି ମଧ୍ୟ ସରିଆ ଶାସନକୁ ବିରୋଧ କରି ଆଫଗାନ ନାରୀ ଓ ପୁରୁଷମାନେ ରାସ୍ତାକୁ ବାହାରି ଆସି, କାର୍ଯ୍ୟ କରିବା ପାଇଁ ନାରୀମାନଙ୍କ ଅଧିକାର, ଚଳପ୍ରଚଳର ସ୍ବାଧୀନତା, ଅଧ୍ୟୟନ ଏବଂ ରାଜନୀତିରେ ଅଂଶଗ୍ରହଣ ଆଦି ମାନବିକ ଦାବି ପ୍ରତି କ୍ଷମତାଶୀଳ ବ୍ୟକ୍ତିମାନେ ଦୃଷ୍ଟି ଦେବା ଉଚିତ । ତେବେ ତାଲିବାନ ଶାସନରେ ଆଫଗାନିସ୍ତାନର ଭବିଷ୍ୟତ କେଉଁ ଆଡ଼କୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।