ଭୁବନେଶ୍ୱର,୧୩.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଝାରସୁଗୁଡା ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହେବ। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଶୁକ୍ରବାର ଦିନ ୧୧ଟାଠାରୁ ନିରବଚ୍ଛିନ୍ନ ଭାବେ ଅପରାହ୍ଣ ୩ଟା ଯାଏ ନାମାଙ୍କନ ଦାଖଲ କରାଯାଇପାରିବ । ଗ୍ରୀଷ୍ମ କାଳ ହୋଇଥିବାରୁ କମ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଆସିବାକୁ କୁହାଯାଇଛି । ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ନାମାଙ୍କନ ଦାଖଲ କରିବାକୁ ଆସିବା ସହ ସର୍ବାଧିକ ୩ଟି ଗାଡ଼ି ପ୍ରାର୍ଥୀ ଆଣି ପାରିବେ । ନାମାଙ୍କନ ଦାଖଲ ଆସନ୍ତା ୨୦ ତାରିଖରେ ଶେଷ ହେବ । ୨୧ରେ ଯାଞ୍ଚ, ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଭୋଟ ଗ୍ରହଣ କରାଯିବ । ୧୩ ତାରିଖ ଭୋଟ ଗଣତି ସହ ୧୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ଗୁରୁବାର ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲାସ୍ତରୀୟ ଇଭିଏମ୍ ଆଣ୍ଡ ଭିଭିପାଟ୍ ୱେୟାର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ମେସିନଗୁଡିକୁ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମ୍ ନିଆଯିବାର ବ୍ୟବସ୍ଥା କରାଯାଉଛି।