କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାର ସ୍ବାସ୍ଥ୍ୟଧିକାରୀଙ୍କୁ ଏକ ମାର୍ଗଦର୍ଶକା ଜାରି କରିଛନ୍ତି।
ନିମୋନିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲାରେ କରୋନା ପରୀକ୍ଷା ବଢାଇବା ସହ ସର୍ଭେଲାନ୍ସ ବଢାଇବାକୁନିର୍ଦ୍ଦେଶ ହୋଇଛି। ଏହି ଆଧାରରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କ ସମେତ ୯୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୪ଟି ଉପଖଣ୍ଡସ୍ଥରୀୟ ହସ୍ପିଟାଲ ଓ ନଗର ଚିକିତ୍ସାଳୟରେ ମାନବସମ୍ବଳ, ଭିତ୍ତିଭୂମି, ଶଯ୍ୟା, ଭେଣ୍ଟିଲେଟର, ପରୀକ୍ଷା କିଟ, ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବାୟୋଟିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆତଙ୍କିତ ହେବାର କୌଣସି କାରଣ ନାହିଁ ବରଂ ଏହାର ମୁକାବିଲା ପାଇଁ ସତର୍କ ଓ ସର୍ବାଧିକ ସଚେତନ ରହିବା ଆବଶ୍ୟକ ବୋଲି ଜିଲା ସ୍ବାସ୍ଥ୍ୟଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ବର୍ତ୍ତମାନ ଇନଫ୍ଲୁଏଞ୍ଜା ଦେଖାଦେଉଥିବା ବେଳେ ଶୀତଋତୁରେ ନିଃଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୃଦ୍ଧି ପାଇବା ଆଶଙ୍କା ଉପୁଜିଛି। ତେଣୁ କରୋନା ବେଳେ ଆମେ ଯେଉଁସବୁ ନିୟମ ପାଳନ କରୁଥିଲେ, ତାହା ପାଳନ କରିବା ଆବଶ୍ୟକ। ନିମୋନିଆ ଏକ ବାୟୁ ରୋଗ ହୋଇଥିବାରୁ ଜନସାଧାରଣ ଆଗୁଆ ପଦକ୍ଷେପ ପାଇଁ ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ କରିବା, ଜନଗହଳିରେ ଦୂରତା ବଜାୟ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପରାମର୍ଶ ଦେଇଛନ୍ତି।