ଯୁଗ ଯୁଗ ଧରି ଐତିହ୍ୟ ପରମ୍ପରା ସହ ପୁରାଣ ଶାସ୍ତ୍ର କିମ୍ବଦନ୍ତୀକୁ ବହନ କରି ଆସୁଛି ଝଙ୍କଡ଼ର ମା ଶାରଳାଙ୍କ ପୀଠ। ଓଡ଼ିଆ ଭାଷା ସାହିତ୍ୟ, କାବ୍ୟକଳା, ଓ ସଂସ୍କୃତିର ଆରାଧ୍ୟ ଦେବୀ ହେଉଛନ୍ତି ବାଣିକ୍ଷେତ୍ର ଝଙ୍କଡର ଦେବୀ ମା ଶାରଳା। ମାଙ୍କ ଆଶୀର୍ବାଦ ପାଇଁ ଏହି ପୀଠକୁ ପ୍ରତି ଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି | କିନ୍ତୁ ଅଵ୍ୟଵସ୍ଥା ଘେରରେ ରହିଛି ‘ମା’ ଶାରଳାଙ୍କ ପୀଠ। କେଉଁଠି ମନ୍ଦିର କାନ୍ଥରୁ ପ୍ଲାଷ୍ଟର ଖସି ରଡ ଦେଖାଗଲାଣି ତ ଆଉ କେଉଁଠି ଅଳ୍ପ ରଙ୍ଗ ବୋଳା ହୋଇ କାମ ଅଧାରେ ପଡିଛି । ମନ୍ଦିର ମୁଖଶାଳାର ମୂର୍ତ୍ତି ଭାଙ୍ଗି ଯାଇଥିବା ବେଳେ ମନ୍ଦିରରେ ଉଠିଗଲାଣି ଗଛ | ମନ୍ଦିର ପରିସରରେ ଥିବା ଚନ୍ଦନ ପୋଖରୀ କଥା ନକହିଲେ ଭଲ । ପବିତ୍ର ଅମୃତ ଜଳ ଭାବେ ଗ୍ରହଣ କରୁଥିବା ଚନ୍ଦନ ପୁଷ୍କରିଣୀ ସାଜିଛି ଆବର୍ଜନା କୁଣ୍ଡ। ଅଳିଆ ଆବର୍ଜନାରେ ଭର୍ତି ହୋଇ ରହିଛି ପୋଖରୀ | ପ୍ରତିଦିନ ହଜାର ହଜାର ଭକ୍ତ ଏହି ପୋଖରୀରେ ଗୋଡ଼ ହାତ ଓ ମୁହଁ ଧୋଇ ହୋଇ ମନ୍ଦିର ଭିତରକୁ ଯାଇଥାନ୍ତି । ହେଲେ ପୋଖରୀର ପାଣି ଏତେ ଅପରିଷ୍କାର ଯେ ଧୋଇ ହେବାକୁ ଭକ୍ତମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି । ଚାଲନ୍ତୁ ତିର୍ତ୍ତୋଲ ମା ଶାରଳାଙ୍କ ପୀଠରୁ ଦେଖିବା ଏହି ରିପୋର୍ଟ ।
ସେହିପରି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ବି ନାହିଁ । ବାରମ୍ବାର ଦାବି ପରେ ବି ସମ୍ପୂର୍ଣ ପାଚେରୀ ହେଉନି ନିର୍ମାଣ । କିଛି ଲୋକେ ମନ୍ଦିର ଜମିକୁ ଜବରଦଖଲ କରିଥିବାର ଅଭିଯୋଗ ହୋଇଛି । ମନ୍ଦିର ପରିସରରେ ସଫେଇ କାର୍ଯ୍ୟ ମଧ୍ୟ ହେଉନାହିଁ । ମନ୍ଦିର ପୁନରୁଦ୍ଧାର ପାଇଁ ସରକାରୀ ସ୍ତରରେ ଅର୍ଥ ମଞ୍ଜୁର ହେଉଥିବା ବେଳେ କାହିଁକି କାର୍ଯ୍ୟ କରାଯାଉନି ତାହା ବୁଝା ପଡୁନି । ମନ୍ଦିର ପରିଚାଳନାର ମୁଖ୍ୟ ଦାୟିତ୍ୱରେ ଜଗତସିଂହପୁର ଜିଲ୍ଳାପାଳ ଅଛନ୍ତି । ପୂର୍ବରୁ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଓ ଏବେ ପାରୁଲ ପଟୱାରୀ ମନ୍ଦିର ପରିଦର୍ଶନ ପାଇଁ ଆସୁଥିଲେ ମଧ୍ୟ ସମସ୍ୟା ପ୍ରତି ତାଙ୍କ ଦୃଷ୍ଟି ପଡିନଥିବା ଶୁଣିବାକୁ ମିଳିଛି।।