ଆଦିମ ବଣ୍ଡାଘାଟିର ପ୍ରସିଦ୍ଧ ସୀତାକୁଣ୍ଡ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅନେକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ଭିତରୁ ଗୋଟିଏ ସୀତାକୁଣ୍ଡ | ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ ମଧ୍ୟ ଲାଗିଛି ଏହି ଦିବ୍ୟ ଜଳ । ପାହାଡ଼ ପର୍ବତ ଘେରା ଚାରିଆଡେ ସବୁଜ ବନାନୀ ସାଙ୍ଗକୁ ବୋହିଯାଇଥିବା ଝରଣାର ଦୃଶ୍ୟ ବେଶ ମନୋରମ | ଯିଏ ସେଠାକୁ ଥରେ ଯାଇଛି ସେଠାକାର ପ୍ରାକୃତିକ ପରିବେଶ ତାଙ୍କୁ ବିମୋହିତ କରିଦେଇଛି | ଏଥିସହିତ ସେଠାକାର ନିରୀହ ବଣ୍ଡା ଆଦିବାସୀଙ୍କ ଅନନ୍ୟ ଚାଲିଚଳନ ବେଶ ମଅଛୁଆଁ | କିନ୍ତୁ ବଣ୍ଡାଘାଟିରେ ଥିବା ଏହି କୁଣ୍ଡକୁ କାହିଁକି ସୀତାକୁଣ୍ଡ କୁହାଯାଏ ତାହା କେବେ ଭାବିଛନ୍ତି କି ? ମାତା ସୀତାଙ୍କ ସହ ବଣ୍ଡା ଜାତିର କଣ ସମ୍ପର୍କ ରହିଛି ? ଚାଲନ୍ତୁ ଜାଣିବା ମାତା ସୀତାଙ୍କ ସହ ବଣ୍ଡା ଜାତିର ସମ୍ପର୍କ ବିଷୟରେ |
ଦ୍ଵାପର ଯୁଗର କିମ୍ବଦନ୍ତୀ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ପ୍ରସିଦ୍ଧ ସୀତାକୁଣ୍ଡ। ବିଶ୍ୱାସ କରାଯାଏ, ରାମ ବନବାସ ସମୟରେ ସୀତା ଏଠାରେ ବସ୍ତ୍ରହୀନ ହୋଇ ସ୍ନାନ କରୁଥିଲେ।ବଣ୍ଡା ଜନଜାତିର ଲୋକେ ଦେଖି ଦେବା କ୍ଷଣି ମାତା ସୀତା ରାଗି ଯାଇଥିଲେ | ସେ ବଣ୍ଡା ଜନଜାତିକୁ ଅଭିଶାପ ଦେଇଥିଲେ ଯେ ତୁମେମାନେ ଆଜୀବନ ବସ୍ତ୍ର ହୀନ ଓ କେଶ ହୀନ ହୋଇ ରହିବ। ସେବେଠାରୁ ବଣ୍ଡା ଜନଜାତିର ଲୋକମାନେ ଲଣ୍ଡା ହେବା ସହ ବସ୍ତ୍ର ପରିଧାନ କରନ୍ତି ନାହିଁ। ମାତା ସୀତା ଯେଉଁଠାରେ ସ୍ନାନ କରୁଥିଲେ ତାହାକୁ ସୀତାକୁଣ୍ଡ କୁହାଯାଏ।
ଜିଲ୍ଲା ପ୍ରଶାସନ ଏବେ ସୀତାକୁଣ୍ଡର ପୁନରୁଦ୍ଧାର କରିବା ପାଇଁ ତତ୍ପର ହୋଇଉଠିଛି। ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟା ଏବଂ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁଙ୍କ ସହ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି ଉକ୍ତ ଅଞ୍ଚଳକୁ ଯାଇ ସର୍ଭେ କରି ଆସିଛନ୍ତି। ତେବେ କିଛି ଦିନ ପୂର୍ବରୁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ସୀତାକୁଣ୍ଡ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ। ମାଲକାନଗିରି ଜିଲ୍ଲାରେ ଅନେକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ବିକାଶ ହେଲେ ପ୍ରଚୁର ରାଜସ୍ବ ଆଦାୟ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |