ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆଜି ସକାଳୁ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ତ୍ରିନାଥ ମିଶ୍ରଙ୍କ କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ହେଉଛି ଯାଞ୍ଚ। ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ଔଷଧ ଦୋନାକରେ ଚଢାଉ କରୁଛି ଭିଜିଲାନ୍ସ । ଏହା ସହ ନର୍ସିଂ ହୋମ୍ ନିକଟରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରାଯାଉଛି । ଏଥିସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ଚାଲିଛି ଯାଞ୍ଚ । ତ୍ରିନାଥ ମିଶ୍ର କମିଶନରେଟ୍ ପୋଲିସରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡିସିନାଲ ଡିସିପି ଭାବେ କାର୍ଯ୍ୟ କରିଛନ୍ତି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି ।