କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ଟିମ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ସୌମ୍ୟଙ୍କ ବାପା, ମାଆ, ଭାଇ ଓ ମାମୁଙ୍କୁ ମାମଲା ସମ୍ପର୍କରେ ଜେରା କରିବା ସହ ସମସ୍ତ ବୟାନକୁ ରେକର୍ଡ କରିଛି ତଦନ୍ତକାରୀ ଟିମ୍। ତଦନ୍ତ ସମୟରେ ବାରମ୍ବାର ସମାନ ଅଭିଯୋଗ ଦୋହରାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀ, ଡିଏଫ୍ଓ ଓ ରୋଷେୟା ହିଁ ଦାୟୀ ବୋଲି କହିଛନ୍ତି। ଏଥି ସହିତ ସୌମ୍ୟ ଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ କିଛି ରହସ୍ୟଜନକ ଦିଗ ସଂପର୍କରେ କ୍ରାଇମବ୍ରାଞ୍ଚ ଆଗରେ ପ୍ରକାଶ କରିବା ସହିତ ଡିଏଫଓ ଏବଂ ବିଦ୍ୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଦାବି କରିଛନ୍ତି । ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ନକରାଯିବା ଯାଏଁ ଘଟଣାର ସତ ପଦାକୁ ଆସିବ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ପୂର୍ବ ଘଟଣା ଅନୁଯାୟୀ ଗତ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ନିଜ ସରକାରୀ କ୍ୱାର୍ଟରରେ ଥିବାବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ସରକାରୀ ଗାଡ଼ିରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ବ୍ରହ୍ମପୁର ମେଡିକାଲ ଏବଂ କଟକ ମେଡିକାଲ ସ୍ଥାନାନ୍ତର କରିବା ପରେ ଗୁରୁତର ଅବସ୍ଥାରେ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଠି ଉଠାଇବା ସହିତ ଡିଏଫ୍ଓଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ । ପାରଳାଖେମୁଣ୍ଡି ଥାନା ପୁଲିସ ମାମଲା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତରେ ସୌମ୍ୟଙ୍କଘର ରୋଷେୟା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ, ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିବା ପରେ ବିଦ୍ୟାଭାରତୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ ଗଜପତିର ପୂର୍ବତନ ଏସ୍ପି। କିନ୍ତୁ ପୋଲିସ୍ର ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ତୁଷ୍ଟ ନଥିଲେ । ଏହା ପରେ ଡିଜିପି କେସଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ ବସି ଯାଇଥିଲା। ତେବେ ଆଜି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କଲା ପରେ ସୌମ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରା ଯାଉଛି ।
#paralakhemundi #ACF #SoumyaRanjan #NNSODIA