ମୟୂରଭଞ୍ଜ ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା ଆଜି ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୩ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ମାସ ଜେଲଦଣ୍ଡ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଫୁଲଝରି ଗ୍ରାମର ସମ୍ବର ସରେନ(୨୩)। ଏହା ବ୍ୟତିତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୧ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୧ମସିହା ଏପ୍ରିଲ ୨୫ ତାରିଖରେ ଜନୈକା ନାବାଳିକା ଜଣକ ପଡୋଶୀ ଘରୁ ଟିଭି ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ଉକ୍ତ ସମୟରେ ଆସାମୀ ଜଣକ ବାଟରୁ ତାକୁ ଜୋର ଜବରଦସ୍ତ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଆତ୍ମରକ୍ଷା ପାଇଁ ନାବାଳିକା ଜଣକ ଜୋରରେ ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକମାନେ ପୀଡିତା ନାବାଳିକାକୁ ଆସାମୀ କବଳରୁ ଉଦ୍ଧାର କରିବା ସହ ଆସାମୀକୁ ପୋଲିସ ଜିମା ଦେଇଥିଲେ। ଏନେଇ ପୀଡିତାଙ୍କ ବାପା ବାଙ୍ଗିରିପୋଷି ଥାନାରେ ୨୫-୦୪-୨୦୨୧ରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେଶ ନମ୍ବର ୧୬/୨୧ ରେ ଏକ ମାମଲା ରୁଜୁ କରି ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବିଚାର ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି।